ଡେଟିଂ କରିବାକୁ ଆସି ଫସିଲେ ଯୁବକ: ଗୋଟିଏ ଗ୍ଲାସ୍ କୋଲ୍ ଡ୍ରିଙ୍ଗସ୍ ପାଇଁ ୧୬ ହଜାର ୪ ଶହ ଟଙ୍କା ଦାବି କଲେ ଯୁବତୀ

ନୂଆଦିଲ୍ଲୀ: ଦିଲ୍ଲୀରେ ମାତିଛନ୍ତି ଡେଟିଂ ଗ୍ୟାଙ୍ଗ । ଯୁବକଙ୍କୁ ଫସାଇ ଲୁଟୁଛନ୍ତି ମୋଟା ଅଙ୍କାର ଟଙ୍କା । ନଦେଲେ ଯୁବକ ବନ୍ଧୁଙ୍କ ଜରିଆରେ ଅଟକ ରଖି ଦେଉଛନ୍ତି ଧମକଚମକ । ଏମିତି ଏକ ଡେଟିଂ ଗ୍ୟାଙ୍ଗକୁ କାବୁ କରିଛି ଦିଲ୍ଲୀ ପୋଲିସ । ଲୋକଙ୍କୁ ଡେଟିଂ ପାଇଁ ଡାକି ଲଗାଉଥିଲେ ଚୂନ । ଠକାମୀର ଶିକାର ହୋଇଥିବା ଜଣେ ଯୁବକଙ୍କୁ ଅନ ଦି ସ୍ପଷ୍ଟରେ ପୋଲିସ ଉଦ୍ଧାର କରିବା ସହ ୮ ଜଣଙ୍କୁ ଗିରଫ କରିଛି । ଡେଟିଂ ପାଇଁ ଆସିଥିବା ଯୁବକଙ୍କୁ ଗୋଟିଏ ଗ୍ଲାସ୍ କୋଲ୍ ଡ୍ରିଙ୍ଗସ୍ ପାଇଁ ୧୬ ହଜାର ୪ ଶହ ଟଙ୍କା ବିଲ୍ ଦେବାକୁ କୁହାଯାଇଥିଲା । ଯୁବକ ଜଣଙ୍କ ଏଥିରେ ଆପତ୍ତି ଉଠାଇବାରୁ ତାଙ୍କୁ ଅଟକ ରଖି ୫୦ ହଜାର ଟଙ୍କା ଦାବି କରିଥିଲେ ଉକ୍ତ ଗ୍ୟାଙ୍ଗର ପୁରୁଷ ସଦସ୍ୟ ।

ପୋଲିସ ସୂଚନା ଅନୁସାରେ,ଗତ ୨୧ ତାରିଖରେ ଜଣେ ଯୁବକଙ୍କୁ ଗାଜିଆବାଦ କୌସମ୍ବିକୁ ଡେଟିଂ ପାଇଁ ନିମନ୍ତ୍ରଣ ଆସିଥିଲା । ଯେଉଁଠି ତାଙ୍କୁ କୋଲ୍ ଡ୍ରିଙ୍କସ୍ ପାଇଁ ତାଙ୍କୁ ୧୬ ହଜାର ୪ ଶହ ଟଙ୍କା ଦେବାକୁ କୁହାଯାଇଥିଲା ।

ଡେଟିଂ ଆପରେ ଯୋଗାଯୋଗ ପରେ ଯୁବକଙ୍କ ପାଖକୁ ଏକ ହ୍ବାଟ୍ସଆପ୍ ମେସେଜରେ କୌସମ୍ବି ମେଟ୍ରୋ ଷ୍ଟେସନକୁ ଆସିବାକୁ କୁହାଯାଇଥିଲା । ଏହାପରେ ଜଣେ ଯୁବତୀଙ୍କ ସହ ଯୁବକ ଜଣଙ୍କ କୌସମ୍ବି ହୋଟେଲର ପ୍ରଥମ ମହଲାରେ ଥିବା ଟାଇଗର କାଫେକୁ ଯାଇଥିଲେ । ତେବେ କାଫେରେ କୌଣସି ସାଇନ ବୋର୍ଡ ନଥିବା ବେଳେ ଅନଲାଇନରେ ମଧ୍ୟ କାଫେ ସମ୍ପର୍କରେ କୌଣସି ସୂଚନା ନଥିଲା । ଯାହାକୁ ନେଇ ଯୁବକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ସେ ତାଙ୍କର ଜଣା ବନ୍ଧୁଙ୍କ ପାଖକୁ କାଫେର ଲାଇଭ୍ ଲୋକେସନ୍ ସେୟାର କରିବା ସହ ତାଙ୍କୁ ମେସେଜ କରିଥିଲେ ।

ଗୋଟିଏ ଗ୍ଲାସ୍ କୋଲ୍ ଡ୍ରିଙ୍କସ୍ ପିଇବା ପରେ ଯୁବକ ଜଣଙ୍କ ସେଠାରୁ ଯିବାକୁ ବାହାରିଥିଲେ । ହେଲେ ଏହା ତାଙ୍କର ଭୁଲ ଥିଲା ଓ ତାଙ୍କ ସନ୍ଦେହ ସତରେ ପରିଣତ ହୋଇଥିଲା । କାରଣ ସମ୍ପୃକ୍ତ ଯୁବତୀଙ୍କ ନିର୍ଦ୍ଦେଶରେ ଗୋଟିଏ ଗ୍ଲାସ୍ କୋଲ୍ ଡ୍ରିଙ୍କସ୍ ପାଇଁ ତାଙ୍କ ହାତରେ ୧୬ ହଜାର ୪ ଶହ ଟଙ୍କା ବିଲ୍ ଧରାଇ ଦିଆଯାଇଥିଲା । ଯୁବକ ଜଣଙ୍କ ଏତେ ଟଙ୍କା ଦେବାକୁ ମନା କରିବାକୁ ତାଙ୍କୁ ଅଟକ ରଖି ୫୦ ହଜାର ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା ।

ଅନ୍ୟପକ୍ଷରେ ଯୁବକଙ୍କ ବନ୍ଧୁ କାଫେ ସମ୍ପର୍କରେ ଜାଣିବା ପରେ ପୋଲିସକୁ ସୂଚନା ଦେଇଥିଲେ । ଏହାସହ ପୋଲିସକୁ ସାଙ୍ଗରେ ଧରି କାଫେରେ ପହଞ୍ଚିବା ସହ ଉକ୍ତ ଡେଟିଂ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ସାହାଯ୍ୟ କରିଥିଲେ । ଯେଉଁଥିରେ ୫ ଜଣ ଯୁବତୀ ଓ ୩ ଜଣ ଯୁବକ ସମ୍ପୃକ୍ତ ଥିଲେ ।

ଗ୍ୟାଙ୍ଗର ୪ ଜଣ ଯୁବତୀ ଦିଲ୍ଲୀରେ ଥିବା ବେଳେ ଡେଟିଂ ଆପରେ ସକ୍ରିୟ ଥିଲେ । ସେମାନେ ଯୁବକଙ୍କୁ ଯୋଗାଯୋଗ କରୁଥିଲେ ଏବଂ ଟାଇଗର କାଫେକୁ ଆସିବାକୁ କହୁଥିଲେ । ଯେଉଁଠି ଯୁବକମାନଙ୍କଠାରୁ ଖାଇବା, ପିଇବା ବାବଦକୁ ଜୋରଜବରଦସ୍ତ ଅତ୍ୟଧିକ ବିଲ୍ ଆଦାୟ କରାଯାଉଥିଲା । ଗ୍ୟାଙ୍ଗରେ ଥିବା ଯୁବକମାନେ ସମ୍ପୃକ୍ତ ବ୍ୟକ୍ତି ଟଙ୍କା ନଦେବା ପର୍ଯ୍ୟନ୍ତ ଅଟକ ରଖି ବିଭିନ୍ନ ପ୍ରକାର ଧମକଚମକ ଦେଉଥିଲେ ।

ପୋଲିସ ଘଟଣା ସ୍ଥଳରୁ ଡେଟିଂ ସ୍କାମରେ ଫସିଥିବା ଯୁବକଙ୍କୁ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରିଛି । ଏହି ମାମଲାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି । ଘଟଣାର ତଦନ୍ତ ଚାଲିଛି, ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସିପି ସ୍ବତନ୍ତ୍ର ସିଂ ।

ନଜର ପକାନ୍ତୁ