spot_img

Latest Posts

କେବେ ପ୍ରତିଷ୍ଠା ହେବେ ଦଶାବତାର ? ୧୪ ବର୍ଷ ହେଲା ତୁଟୁନି ବିବାଦ

ପୁରୀ : ଶ୍ରୀହୀନ ରହିଛି ଶ୍ରୀମନ୍ଦିର ଗୁମୁଟ । କେବେ ପ୍ରତିଷ୍ଠା ହେବେ ଦଶାବତାର । ଦୟନୀୟ ଅବସ୍ଥାରେ ପଡ଼ିଛି ମୂର୍ତ୍ତି । ୧୪ ବର୍ଷ ହେଲା ତୁଟୁନି ବିବାଦ । ତେଜୁଛି ସେବାୟତଙ୍କ ଅସନ୍ତୋଷ । ୧୪ ବର୍ଷ ବିତିଯାଇଥିଲେ ମଧ୍ୟ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ଦଶାବତାର ମୂର୍ତ୍ତି ଲାଗି ପାରିଲା ନାହିଁ । ସିଂହଦ୍ଵାର ନିକଟ ମେଘନାଦ ପାଚେରି ପାଖରେ ଖୋଲା ଆକାଶ ତଳେ ଅତି ଦୟନୀୟ ଅବସ୍ଥାରେ ପଡ଼ି ରହିଛି । ତୁରନ୍ତ ସମସ୍ତ ବିବାଦର ସମାଧାନ କରାଯାଇ ASI ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ସ୍ଥାପନ କରିବାକୁ ଦାବି କରିଛନ୍ତି ସେବାୟତ ଓ ଜଗନ୍ନାଥ ପ୍ରେମୀ । ସିଂହଦ୍ଵାର ଗୁମୁଟରେ ଦଶାବତାର ମୂର୍ତ୍ତୀ ମତ୍ସ୍ୟ, କଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମଚନ୍ଦ୍ର, ହଳଧର, ଜଗନ୍ନାଥ ଓ କଳ୍କୀ ମୂର୍ତ୍ତୀ ନଥିବାରୁ ସିଂହଦ୍ୱାର ଗୁମୁଟ ଶ୍ରୀହୀନ ଦେଖାଯାଉଥିବା ଅଭିଯୋଗ ହୋଇଛି ।
୨୦୧୨ରେ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରୁ ଚୂନ ଛଡ଼ା କାର୍ଯ୍ୟ ବେଳେ ମୂର୍ତ୍ତିକୁ କାଢ଼ିଥିଲା ASI । ନୂତନ ମୂର୍ତ୍ତୀ ମଧ୍ୟ ନିର୍ମାଣ କରାଯାଇଥିଲା । ତେବେ ଦଶାବତାର ନବମ ସ୍ଥାନରେ ବୁଦ୍ଧ ଏବଂ ଜଗନ୍ନାଥ ରଖାଯିବାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । ହାଇକୋର୍ଟରେ ମାମଲା ଏବେ ବିଚାରାଧୀନ ରହିଛି । ଏଣୁ ରାଜ୍ୟ ସରକାର କୋର୍ଟଙ୍କୁ ଅବଗତ କରି ଗବେଷକ ଓ ଜଗତଗୁରଙ୍କ ମତାମତ ନେଇ ଖୁବଶୀଘ୍ର ଏହାକୁ ସ୍ଥାପନ କରିବାକୁ ଦାବି ହୋଇଛି । ସେପଟେ ଏ ନେଇ ବିଚାର ବିମର୍ଶ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ । ଶ୍ରୀଜଗନ୍ନାଥ ସେନା ପକ୍ଷରୁ ନୂଆ ଦଶାବତାର ମୂର୍ତ୍ତିକୁ ଶିଳ୍ପୀଙ୍କ ଠାରୁ ଅଣାଯାଇ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ରଖାଯାଇଥିବା ବେଳେ ସିଂହଦ୍ୱାର ଗୁମୁଟରେ ଏହା ଲଗାଗଲେ ପୂର୍ଣ୍ଣାଙ୍ଗ ହେବ ବୋଲି କହିଛନ୍ତି ସେବାୟତ ।

Latest Posts

Don't Miss