ଗାଁରେ ନାହିଁ ପାନୀୟ ଜଳର ସୁବିଧା, ଆଜି ବି ଅନ୍ଧାରରେ ଜୀବନ କାଟୁଛନ୍ତି ଉପାନ୍ତବାସୀ

ନନ୍ଦିଘୋଷ ବ୍ୟୁରୋ: ଆଜି ବି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଉପାନ୍ତବାସୀ । ପିଇବା ପାଇଁ ବିଶୁଦ୍ଧ ଜଳ ତ ଦୂରର କଥା ନଦୀ ପାଣି ଉପରେ ନିର୍ଭର କରୁଛନ୍ତି ଲୋକେ । ରାତିରେ ଅନ୍ଧାରି ଜୀବନ ବିତାଉଛନ୍ତି । ସମସ୍ଯା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ।

ବିକାଶ ପାଲଟିଛି ସାତସପନ । ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଉପାନ୍ତବାସୀ । ଦାରିଙ୍ଗବାଡ଼ି ବ୍ଲକ ସରାମୁଳି ପଞ୍ଚାୟତ ଅନ୍ତର୍ଗତ ଗାନ୍ଦୁରି ଗାଁ । ଏଠାରେ ୨୦ରୁ ଅଧିକ ପରିବାର ବସବାସ କରୁଛନ୍ତି । ହେଲେ ଦୁଃଖର ବିଷୟ ଏଠାରେ ଆଜି ପର୍ଯ୍ଯନ୍ତ ପହଞ୍ଚି ପାରିନି ମୌଳିକ ସୁବିଧା ସୁଯୋଗ । ଗାଁରେ ପାନୀୟ ଜଳ ସୁବିଧା ନଥିବାରୁ ଲୋକେ ନଦୀ ପାଣି ଆଣି ବ୍ଯବହାର କରୁଛନ୍ତି । ବିଦ୍ୟୁତ ସେବା ତ ନକହିବା ଭଲ, ଲାଇଟ ଦେଖିବା ଯେପରି ଏମାନଙ୍କ ପାଇଁ ସାତସପନ ପାଲଟିଛି । ଖାଲି ଏତିକି ନୁହେଁ ଗାଁରେ ଅଙ୍ଗନବାଡି କେନ୍ଦ୍ର ଟିଏ ନଥିବାରୁ ୪କିଲୋମିଟର ପାହାଡି ଅଙ୍କାବଙ୍କା ରାସ୍ତା ଦେଇ ପାଠପଢିବାକୁ ଯାଉଛନ୍ତି କୋମଳମତି ପିଲା ।

ଗାଁରେ ଥିବା ସମସ୍ଯାର ସମାଧାନ ପାଇଁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟକୁ ଦୌଡି ଦୌଡି ନୟାନ୍ତ ହେଲେଣି ଲୋକେ । ହେଲେ ଖାଲି ପ୍ରତିଶୃତି ମିଳିଥିବା ବେଳେ ଫଳ ଶୂନ । ଏଣୁ ଅତିଶୀଘ୍ର ଗାଁକୁ ସମସ୍ତ ସୁବିଧା ସୁଯୋଗ ଯୋଗେଇ ଦେବାକୁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ଗ୍ରାମବାସୀ । ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ କ୍ଯାମେରା ସମ୍ମୁଖରେ କିଛି ନକହି ତୁରନ୍ତ ପାଣି ସମସ୍ଯା ଓ ବିଦ୍ଯୁତ ସମସ୍ଯା ଦୂର ହେବ ବୋଲି କହିଛନ୍ତି ।