ଦାରିଙ୍ଗବାଡ଼ିରେ ୩.୫ଡିଗ୍ରୀକୁ ଖସିଲା ପାରଦ

ଫୁଲବାଣୀ: ଲଗାତର ୨ଦିନ ଧରି ଜାଡ଼ରେ ଥରୁଛି କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଓ ଫୁଲବାଣୀ । ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଆହୁରି ୨ରୁ ୩ ଦିନ ଶୀତ ଲାଗି ରହିବ । ଦାରିଙ୍ଗବାଡ଼ି ଅଞ୍ଚଳରେ ଗତକାଲି ୩.୫ ଡିଗ୍ରୀ ଥିଲା ତାପମାତ୍ରା । ସେହିପରି ଫୁଲବାଣୀ ରେ ତାପମାତ୍ରା ୬.୫ ଡିଗ୍ରୀ ଥିଲା । ପୂରା କନ୍ଧମାଳ ଜିଲାରେ ଶୀତର ପ୍ରକୋପ ଦେଖିବାକୁ ମିଳୁଛି । ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ଶୀତର ପ୍ରଭାବରେ ଲୋକଙ୍କ ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଦିନ ମଜୁରିଆ ମାନେ ସକାଳ ଆଠଟା ପରିବର୍ତ୍ତେ ସକାଳ ଦଶଟା ବେଳେ ଦୈନଦୀନ କାର୍ଯ୍ୟ ଆରମ୍ଭ କରୁଛନ୍ତି । ସ୍ଥାନେ ସ୍ଥାନେ ଶୀତରୁ ତ୍ରାହି ପାଇଁ ନିଆଁ ପୁଆଁଉଛନ୍ତି ଲୋକ ।

ଅନ୍ୟପକ୍ଷରେ ନୀଳଗିରିରେ ମଧ୍ୟ ଶୀତର ପ୍ରକୋପ ଦେଖିବାକୁ ମିଳିଛି । ପାହାଡ଼ ପର୍ବତଘେରା ଅଞ୍ଚଳରେ ଶୀତର ଲହରୀରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି । ପାରଦ ୧୧ ଡିଗ୍ରୀକୁ ଖସିଲାଣି । ନୀଳଗିରିରେ ଶୀତର ପ୍ରକୋପ ଏତେ ବୃଦ୍ଧି ପାଇଛି ଯେ ଅପରାହ୍ନ ୪ ଟାରୁ ରାତି ପର୍ଯ୍ୟନ୍ତ ଓ ଭୋର୍ ସମୟ ଠାରୁ ଦିନ ୧୦ ଟା ପର୍ଯ୍ୟନ୍ତ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଶୀତଦାଉରୁ ରକ୍ଷା ପାଇବା ପାଇଁ ଅଞ୍ଚଳବାସୀ ଗାଁ ମୁଣ୍ଡରେ ନିଆଁ ପୁଆଁଉଥିବା ଦେଖିବାକୁ ମିଲିଛି । ଏକାଧିକ ଶୀତବସ୍ତ୍ର ପିନ୍ଧିବା ପରେ ବି ଶୀତରୁ ତ୍ରାହି ନାହିଁ । ଶୀତରେ ବୟସ୍କ ଏବଂ ଛୋଟ ପିଲା ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି ।

ତେବେ ଅଧା ଓଡ଼ିଶାରେ ୧୦ ଡିଗ୍ରୀ ତଳକୁ ଖସିଲାଣି ତାପମାତ୍ରା । ଆଗାମୀ ୩ଦିନ ଯାଏ ମଧ୍ୟ ଶୀତ ଲହରୀ ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ଦିଗରୁ ଓଡ଼ିଶାର ସ୍ଥଳଭାଗକୁ ଆସୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ପାଇଁ ଜାଡ଼ ବଢିଛି । ଅତି ତୀବ୍ର ଶୀତ ଲହରୀ ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଏବଂ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସଚେତନ ସହ ସତର୍କତା ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର । ରାତିରେ ବାଇକ ଏବଂ ଖୋଲା କାରରେ ନବୁଲିବାକୁ ପରାମର୍ଶ ଦିଆଯାଇଛି । ଶିଶୁ ଏବଂ ବୟସ୍କ ବିନା ଶୀତବସ୍ତ୍ରରେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave a Reply