ବହୁଚର୍ଚ୍ଚିତ ପୁରୁଲିଆ ଆର୍ମସ ଡ୍ରପ ମାମଲା, ଅଭିଯୁକ୍ତ କିମ୍ ପିଟର ଡାଭିଙ୍କୁ ଡେନମାର୍କ କରିବନି ପ୍ରତ୍ଯର୍ପଣ

1 min read

ନନ୍ଦଘୋଷ ବ୍ୟୁରୋ: ବହୁଚର୍ଚ୍ଚିତ ପୁରୁଲିଆ ଆର୍ମସ ଡ୍ରପ ମାମଲା। ଅଭିଯୁକ୍ତ ନିଲସ ହୋକ ଓରଫ କିମ୍ ପିଟର ଡାଭିଙ୍କୁ ପ୍ରତ୍ଯର୍ପଣ ଲାଗି ଭାରତ କରିଥିବା ଆବେଦନକୁ ଖାରଜ କରିଛି ଡେନମାର୍କର ଏକ କୋର୍ଟ। ବିଗତ ୧୯୯୫ ଡିସେମ୍ବର ୧୭ରେ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲା ଅନ୍ତର୍ଗତ ଯଉପୁର ଗ୍ରାମରେ ଏକ ଲାଟିଭୀୟ ଅନ୍ତୋନୋଭ ଏଏନ-୨୬ ବିମାନରୁ ବିପୁଳ ଅସ୍ତ୍ରଶସ୍ତ୍ର ପକାଯାଇଥିଲା। ପଶ୍ଚିମବଙ୍ଗରେ ଏକ ବିଦ୍ରୋହୀ ସଂଗଠନ ଲାଗି ଏହି ଅସ୍ତ୍ରଶସ୍ତ୍ର ଉଦ୍ଦିଷ୍ଟ ଥିଲା ବୋଲି ସୂଚନା ମିଳିଥିଲା।  ଏହି ମାମଲାରେ କିମ ଡାଭି ମାଷ୍ଟରମାଇଣ୍ଡ ଥିବା ଜଣାପଡିଥିଲା। ତାଙ୍କୁ ଭାରତ ହାତରେ ପ୍ରତ୍ଯର୍ପଣ କରିବା ଲାଗି ସରକାରଙ୍କ ପକ୍ଷରୁ ଦୀର୍ଘ ଦିନ ଧରି ଦାବି କରାଯାଇଆସୁଥିଲା। ମାତ୍ର ଶେଷରେ ଏହି ଅନୁରୋଧ ଅଗ୍ରାହ୍ୟ ହୋଇଛି। ୟୁରୋପୀୟ ମାନବାଧିକାର ସମ୍ମିଳନୀର ସର୍ତ୍ତାବଳୀ ଅନୁସାରେ ତାଙ୍କୁ ପ୍ରତ୍ଯର୍ପଣ କରାଯାଇପାରିବ ନାହିଁ ବୋଲି କୁହାଯାଇଛି। ଡାଭିଙ୍କ ଓକିଲ ଜୋନସ ଖ୍ରୀଷ୍ଟଫର୍ସନ କହିଛନ୍ତି- ଭାରତ ଦ୍ବାରା ପ୍ରଦାନ କରାଯାଇଥିବା ଗ୍ଯାରେଣ୍ଟି ବୈଧ ନହେବାରୁ କୋର୍ଟ ପ୍ରତ୍ଯର୍ପଣ ଅନୁରୋଧକୁ ଅଗ୍ରାହ୍ଯ କରିଛନ୍ତି। ପୂର୍ବରୁ ଏକ କୋର୍ଟରେ ହୋକ ସ୍ବୀକାର କରିଥିଲେ ଯେ, ପୁରୁଲିଆରେ ଅସ୍ତ୍ରଶସ୍ତ୍ର ପକାଇବା ଲାଗି ସେ ଅନ୍ଯ ୬ ଜଣଙ୍କ ସହ ବିମାନରେ ଥିଲେ। ପଶ୍ଚିମବଙ୍ଗର ଆନନ୍ଦମାର୍ଗ ସଂଗଠନ ଲାଗି ଏହି ଅସ୍ତ୍ରଶସ୍ତ୍ର ଉଦ୍ଦିଷ୍ଟ ଥିଲା ବୋଲି ସେ କହିଥିଲେ। ଅସ୍ତ୍ରଶସ୍ତ୍ର ମଧ୍ଯରେ ଥିଲା ଶତାଧିକ ଏକେ-୪୭, ଟ୍ଯାଙ୍କ ବିଧ୍ବଂସୀ ଗ୍ରେନେଡ, ରକେଟ ଲଞ୍ଚର, ୨୫ ହଜାର ଗୁଳି ଇତ୍ଯାଦି। ଏହି ବିମାନକୁ ଚଳାଉଥିଲେ ପିଟର ବ୍ଲିଚଙ୍କ ନେତୃତ୍ବାଧୀନ ଟିମ। ସେ ପୂର୍ବରୁ ବ୍ରିଟିଶର ଆର୍ମି ଅଫିସର ଥିଲେ। ପରେ ସେ ଆର୍ମସ ଡିଲର ପାଲଟିଥିଲେ। ୧୯୯୫ ଡିସେମ୍ବର ୨୨ର ଭାରତୀୟ ବାୟୁସେନାର ଜେଟ ଏହି ବିମାନକୁ ଠାବ କରିଥିଲେ। ବ୍ଲିଚ ଓ ୫ ଜଣ ଲାଟିଭୀୟ ନାଗରିକଙ୍କୁ ଗିରଫ କରାଯାଇଥିଲା। ତେବେ ବିମାନବନ୍ଦରରୁ ଫେରାର ହେବାକୁ ସକ୍ଷମ ହୋଇଥିଲେ ଅନ୍ଯତମ ଅଭିଯୁକ୍ତ ଡାଭି। ପ୍ରଥମେ ସେ ନେପାଳ ଯାଇ ସେଠାରୁ ଡେନମାର୍କ ଚାଲିଯାଇଥିଲେ। ବଡ଼କଥା ହେଉଛି ଏହି ଆର୍ମସଡ୍ରପ ମାମଲା ସମ୍ପର୍କରେ ଭାରତୀୟ କର୍ତ୍ତୃପକ୍ଷ ଜାଣିଥିଲେ ବୋଲି ଦର୍ଶାଇଥିଲେ ଡାଭି ଓ ବ୍ଲିଚ। ଡାଭି ସିଆଇଏରର ଜଣେ ଏଜେଣ୍ଟ ଥିଲେ ବୋଲି ଚର୍ଚ୍ଚା ହୋଇଥିଲା।