ମନମୋହନ ସାମଲଙ୍କ ମନ୍ତବ୍ୟକୁ ନେଇ କଟାକ୍ଷ କଲେ ଦାମୋଦର ରାଉତ

ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ମନ୍ତବ୍ୟକୁ ନେଇ ବରିଷ୍ଠ ରାଜନେତା ଡାକ୍ତର ଦାମୋଦର ରାଉତଙ୍କ କଟାକ୍ଷ । ଦାମୋଦର କହିଛନ୍ତି, ବୁଦ୍ଧି ନଦିଶଇ ଘରକୁ, କହି ଦେଉଥାଇ ପରକୁ । କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ମୋଦି କହିଥିଲେ କଂଗ୍ରେସମୁକ୍ତ ଭାରତ କରିବେ । କର୍ଣ୍ଣାଟକ ଲୋକମାନେ ଉଚିତ ଜବାବ ଦେଲେ । ଏଠି ରାଜ୍ୟ ବିଜେପି ସଭାପତି କହୁଛନ୍ତି, ୨୦୨୪ରେ ଓଡ଼ିଶା ବିଜେଡିମୁକ୍ତ ହେବ । ଓଡ଼ିଶା ଲୋକ ଏହାର ଠିକ ଜବାବ ଦେବେ ବୋଲି ଦାମୋଦର କହିଛନ୍ତି ।

ଏବେ ଓଡ଼ିଶା ବିଧାନସଭାରେ ବିଜେପି ୨୩ ଆସନରେ ଅଛି । ୨୦୨୪ରେ ଏହା ୧୩କୁ ଖସିଆସିବ  । ବିଜେଡି ୧୨୩ ଆସନ ପାଇବ ବୋଲି ଦାମୋଦର ଆକଳନ କରିଛନ୍ତି । ମନମୋହନ ସାମଲ ଗତ ନିର୍ବାଚନରେ ପରାଜୟର ସ୍ବାଦ ଚାଖିଛନ୍ତି । ବିଜେପି କର୍ମୀମାନଙ୍କୁ ପରାଜୟର ସ୍ବାଦ ଚଖାଇବା ପାଇଁ ଏବେ ଚାରିଆଡେ ବୁଲୁଛନ୍ତି । ଗଞ୍ଜାମ ଯାଇଥିଲେ, ସେଠି କର୍ମୀମାନେ ଜିଲ୍ଲା ସଭାପତିଙ୍କୁ କାଳିମାଡ଼ କଲେ । ରାଜ୍ୟ ସଭାପତି ସବୁ ନିଜେ ଦେଖିଲେ । କିନ୍ତୁ ଗତ ୨୫ ବର୍ଷ ମଧ୍ୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ବିଜେଡି କର୍ମୀ କେବେ ବିଶୃଙ୍ଖଳିତ ଆଚରଣ କରିନାହାନ୍ତି ।

ବିଜେପି ନେତା ଓ କର୍ମୀ ବିଜେଡିରେ ମିଶୁଛନ୍ତି । ସେକଥା ନଦେଖି ମନମୋହନ ଯେଉଁ ବୟାନବାଜି କରୁଛନ୍ତି ତା’ର କିଛି ଅର୍ଥ ନାହିଁ । ନବୀନ ପଟ୍ଟନାୟକ କେବେ କେଉଁ ଦଳ କିମ୍ବା ବ୍ୟକ୍ତିଙ୍କୁ କଟୁ କଥା କହିନାହାନ୍ତି । କିନ୍ତୁ ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତି କଥାରେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରୁଛନ୍ତି । ଲୋକ ତାହାର ଜବାବ ଦେଉଛନ୍ତି ବୋଲି ଦାମୋଦର ରାଉତ କହିଛନ୍ତି ।