ଦାମୋଦର ପର୍ବ: ପରମ୍ପରା ଓ ସଂସ୍କୃତି ପାଳନର ଏକ ନିଆରା ଉଦାହରଣ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଧୁମଧାମରେ ପାଳନ କରାଯାଉଛି ଦାମୋଦର ପର୍ବ । ଆଦିବାସୀ ପରମ୍ପରା ଓ ସଂସ୍କୃତିକୁ ବହନ କରୁଥିବା ଏହି ପର୍ବରେ ସାମିଲ ହୋଇଛନ୍ତି ୫୦ ହଜାରରୁ ଅଧିକ ଲୋକ । ପ୍ରକୃତି କୋଳରେ ବଢ଼ୁଥିବା ଓ ପ୍ରକୃତିକୁ ଭଲ ପାଉଥିବା ଆଦିବାସୀମାନେ ବର୍ଷରେ ଥରେ ପାଳନ କରିଥାନ୍ତି ଦାମୋଦର ପର୍ବ । ନିଆରା ଭାବେ ପାଳନ ହେଉଥିବା ଏହି ପର୍ବକୁ ଆଦିବାସୀଙ୍କ ବଡ଼ ପର୍ବ ଭାବେ ବିବେଚନା କରାଯାଏ । ବର୍ଷ ସାରା ପ୍ରାଣ ହରାଇଥିବା ପରିବାର ସଦସ୍ୟ ସାମୂହିକ ଅସ୍ଥି ବିସର୍ଜନ ଓ ପିଣ୍ଡଦାନ କରିବା ଏହି ପର୍ବର ମୂଳ ଲକ୍ଷ୍ଯ

ଆନନ୍ଦପୁର ଉପଖଣ୍ଡ ଅମାରଙ୍ଗ ଗାଁର ବୈତରଣୀ ଘାଟ । ପ୍ରତିବର୍ଷ ଡିସେମ୍ବର ମାସ ୩୦ ତାରିଖରେ ଘାଟରେ ଲାଗିଥାଏ ହଜାର ହଜାର ଆଦିବାସୀଙ୍କ ଭିଡ଼ । ପାଖାପାଖି ୪ଟି ଜିଲ୍ଲା ତଥା ରାଜ୍ୟ ବାହାରର ଅନେକ ଆଦିବାସୀ ସମ୍ପ୍ରଦାୟର ଲୋକ ଏକାଠି ହୋଇ ପାଳନ କରନ୍ତି ଦାମୋଦର ପର୍ବ । ପରିବାରରେ ସମ୍ପର୍କୀୟର ମୃତ୍ୟୁ ହୋଇଥିଲେ ମୃତ ବ୍ୟକ୍ତିର ଅସ୍ତି ବିସର୍ଜନ ଏହି ପର୍ବର ମୂଳ ଲକ୍ଷ୍ଯ । ଅମାରଙ୍ଗରେ ହେଉଥିବା ଦାମୋଦର ପର୍ବର ପରିଚାଳନା ଦାଇତ୍ୱ ମାର୍ଶାପାଳ କଲଚରାଲ ଆସୋସିଏସନ କରିଥାଏ ।

ଆଦିବାସୀ ଲୋକମାନେ ପୁଣ୍ୟତୋୟା ବୈତରଣୀ ନଦୀକୁ ଗଙ୍ଗା ଭାବେ ବିବେଚନା କରିଥାନ୍ତି । ତେଣୁ ବୈତରଣୀ ନଦୀ କୂଳରେ ପହଞ୍ଚି ନିଜର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ସହିତ ଲଣ୍ଡା ହୋଇ ବୁଡ଼ ପକାଇଥାନ୍ତି । ଏତେ ସଂଖ୍ୟକ ଲୋକଙ୍କ ଭିଡ଼କୁ ନଜରରେ ରଖି ପୋଲିସ୍ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ଲୋକେ ପୂଜାର୍ଚ୍ଚନା କରିଛନ୍ତି ।