ହିନ୍ଦୀ ଭାଷାରେ ରିଲିଜ୍ ହେଲା ’ଦମନ’, ୫୦୦ ହଲରେ ଫିଲ୍ମ ଦେଖିବେ ଦର୍ଶକ

1 min read

ଭୁବନେଶ୍ୱର: ଓଡ଼ିଆ ସିନେମା ଇତିହାସରେ ନୂଆ ଫର୍ଦ୍ଦ ଯୋଡିଲା ’ଦମନ’ । ଆଜି ହିନ୍ଦୀ ଭାଷାରେ ରିଲିଜ୍ ହୋଇଛି ’ଦମନ’ । ଶୁକ୍ରବାର ଦେଶର ୫ ଶହ ହଲରେ ଦର୍ଶକ ଦେଖିବେ ଏହି ଫିଲ୍ମ । ବକ୍ସ ଅଫିସରେ ଶାହରୁଖ ଖାନଙ୍କ ପଠାନକୁ ଟକ୍କର ଦେବ ’ଦମନ’ । ମୁମ୍ବାଇର ପିଭିଆର ହଲରେ ଏହି ଫିଲ୍ମର ହୋଇଛି ପ୍ରିମିୟର ସୋ । ଏଥିରେ ମୁଖ୍ୟ ଅଭିନେତା ବାବୁସାନ ମହାନ୍ତି, ଦୀପନ୍ୱିତ ଦାସମହାପାତ୍ରଙ୍କ ସହ ଫିଲ୍ମର ନିର୍ଦ୍ଦେଶକ, ପ୍ରଯୋଜକ, ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

୨୦୨୨ ନଭେମ୍ବର ୪ରେ ଜଣେ ଯୁବ ଡାକ୍ତରଙ୍କ କାହାଣୀକୁ ନେଇ ପରଦାକୁ ଆସିଥିଲା ’ଦମନ’ । ରାଜ୍ୟର ୪୩ଟି ହଲରେ ରିଲିଜ୍ ହୋଇଥିଲା ଏହି ଫିଲ୍ମ । ଓଡ଼ିଆ ସିନେମା ଇତିହାସରେ ନୂଆ ଫର୍ଦ୍ଦ ଯୋଡିଥିଲା ଦମନ । କେବଳ ଓଡ଼ିଶାରେ ନୁହେଁ ଦେଶର ୬ଟି ପ୍ରମୁଖ ସହରରେ ମଧ୍ୟ ରିଲିଜ୍ ହୋଇଥିଲା ଏହି ଫିଲ୍ମ । ଦିନକୁ ଦିନ ଏହି ଫିଲ୍ମର ଲୋକପ୍ରିୟତା ବଢ଼ିବା ପରେ ଏହାକୁ ସର୍ବ ଭାରତୀୟ ସ୍ତରରେ ରିଲିଜ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ପ୍ରଯୋଜନ ସଂସ୍ଥା ।

ଜେପି ମୋସନ ପିକଚର୍ସ ଓ ମେଣ୍ଟସ୍ ଫିଲ୍ମସ୍ ମିଳିତ ଭାବେ ପ୍ରସ୍ତୁତ ଏହି ଫିଲ୍ମର ପ୍ରଯୋଜକ ରହିଛନ୍ତି ଦୀପେନ୍ଦ୍ର ସାମଲ । ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମୌର୍ଯ୍ୟ । ତେବେ ଦମନକୁ ହିନ୍ଦୀ ଭାଷାରେ ନିର୍ମାଣ କରିଛି ପାନୋରମା ଷ୍ଟୁଡିଓ । ୨୦୨୨ରେ ନିର୍ମାଣ ହୋଇଥିବା ସମସ୍ତ ଫିଲ୍ମ ମଧ୍ୟରୁ ’ଦମନ’ ଥିଲା ସବୁଠାରୁ ଚର୍ଚ୍ଚିତ । ବାବୁସାନଙ୍କ ନିଖୁଣ ଅଭିନୟକୁ ବେଶ୍ ପ୍ରଶଂସା କରିଥିଲେ ଦର୍ଶକ । ’ଦମନ’ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବରେ ଆଇଏମଡିବି ରେଟିଂରେ ୯.୭ ପଏଣ୍ଟ ପାଇଥିଲା । ଯାହା ବହୁ ଚର୍ଚ୍ଚିତ RRR ଓ KGF-2କୁ ପଛରେ ପକାଇଦେଇଥିଲା । ଓଡ଼ିଆ ପରି ହିନ୍ଦୀ ଭାଷାରେ ମଧ୍ୟ ଏହି ଫିଲ୍ମକୁ ସେହିଭଳି ଭଲପାଇବା ଏବଂ ଲୋକପ୍ରିୟତା ମିଳିବ ବୋଲି ଆଶା କରାଯାଉଛି ।