ସାବଧାନ ! ପିଚୁ ଖୋଳିଲେ ଜେଲ୍
1 min readଭୁବନେଶ୍ବର: ବିନା ଅନୁମତିରେ ଆପଣ ଗାଁ ରାସ୍ତାକୁ ଖୋଳୁଛନ୍ତି କି ? ନିଜର ସ୍ବାର୍ଥ ପାଇଁ ରାଜ୍ୟର ସମ୍ପତ୍ତି ନଷ୍ଟ କରୁଛନ୍ତି କି ? ସାବଧାନ ! ବେଆଇନ ଭାବେ ଗାଁର ପିଚୁ ଓ ପକ୍କା ରାସ୍ତା ଖୋଳିଲେ ଏବେ ଜେଲ ଯିବାକୁ ପଡିବ । ଏପରି କଡା ନିର୍ଦ୍ଦେଶନାମା ଜାରି କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ବିଭିନ୍ନ ଉଦ୍ଦେଶ୍ୟ ରଖି ବିଭିନ୍ନ ସମୟରେ ଅସାଧୁ ବ୍ୟକ୍ତି ନିମ୍ନମାନର କାମ ଅଭିଯୋଗ କରି ଗାଁର ପକ୍କା ଓ ପିଚୁ ରସ୍ତାକୁ ଖୋଳି ପକାଉଛନ୍ତି । ଏପରି ହେବା ଦ୍ବାରା ଲକ୍ଷ ଲକ୍ଷ ଟଙ୍କାର ରାଜ୍ୟ ସମ୍ପତ୍ତି ନଷ୍ଟ ହେବା ସହ ଲୋକଙ୍କ ସମସ୍ୟା ବଢୁଛି । ଏସବୁକୁ ରୋକିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ କଡ଼ା ନିର୍ଦ୍ଦେଶନାମା ଜାରି କରିଛି ।
ଯେଉଁମାନେ ଏସବୁ କାମ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଠିକାଦାର ଓ ଯନ୍ତ୍ରୀମାନେ ନିମ୍ନମାନର କାମ କରିବେ ସେମାନଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସେତିକି ନୁହେଁ, ପାଣି ପାଇପ ବିଛାଇବା, ବିଭିନ୍ନ ସଭା ସମିତି ଓ ଅନ୍ୟାନ୍ୟ କାମ ପାଇଁ ମଧ୍ୟ ଲୋକମାନେ ଗାଁ ରାସ୍ତାକୁ ଖୋଳି ରାଜ୍ୟ ସମ୍ପତ୍ତି ନଷ୍ଟ କରୁଛନ୍ତି । ଏହା ଉପରେ ମଧ୍ୟ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟ ଠିକାଦାର ଓ ଯନ୍ତ୍ରୀଙ୍କ ପାଇଁ ୩ ସୂତ୍ରୀ କଡ଼ା ନିର୍ଦ୍ଦେଶନାମା ଜାରି କରିଛି । ଯଦି କୌଣସି କାମ ଯାଞ୍ଚ ସମୟ ନିମ୍ନମାନର ହେଲେ ଥ୍ରୀ-ଆର ନିମୟ ଲାଗୁ କରାଯାଇ ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାସ୍ତାକାମ ନିମ୍ନମାନର ହୋଇଥିବାର ପ୍ରମାଣିତ ହେଲେ ଠିକାଦାର ନିଜସ୍ବ ଖର୍ଚ୍ଚରେ ପୁନଃନିର୍ମାଣ କରିବେ । ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏପରି ନିଷ୍ପତ୍ତିକୁ ରାଜନୈତିକ ଦଳ ଗୁଡ଼ିକ ସ୍ବାଗତ କରିବା ସହ କେତେକ ପ୍ରଶ୍ନ ଉଠାଇଛନ୍ତି ।
ଅନେକ କ୍ଷେତ୍ରରେ ବହୁ ନ୍ୟସ୍ତସ୍ବାର୍ଥ ଓ ଅସାମାଜିକ ପ୍ରକୃତିର ଲୋକମାନେ ନିଜର ସ୍ବାର୍ଥ ପାଇଁ ରାଜ୍ୟ ସମ୍ପତ୍ତି ନଷ୍ଟ କରୁଥିବାରୁ ଏପରି କଠୋର ନିୟମ କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ।