ପୁଣିଥରେ ଡାଲି, ତେଲ ଦର ଆକାଶଛୁଆଁ

ନନ୍ଦିଘୋଷ ବ୍ୟୁରୋ: ଭାରତକୁ ଟାର୍ଗେଟ୍ କରି ଲୋହିତ ସାଗରରେ ଥମୁନି ହାଉଥି ବିଦ୍ରୋହୀ ଓ ସୋମାଲି ଜଳଦସ୍ୟୁଙ୍କ ଆକ୍ରମଣ । ବାରମ୍ବାର ଆକ୍ରମଣ ପରେ ଗତକାଲିଠୁ ୧୮ଟି ସିପିଂ କମ୍ପାନୀ ଲୋହିତ ସାଗରରେ ବନ୍ଦ କରିଛନ୍ତି ପରିବହନ। ଏବେ ବଜାରରେ ହୁ ହୁ ହୋଇ ବଢିଲାଣି ଖାଦ୍ୟ ସାମଗ୍ରୀ ଦର । ଯୋଗାଣ ଶୃଙ୍ଖଳ ବିଗିଡ଼ିବାରୁ ହରଡ଼ ଡାଲି ସମେତ ଖାଇବା ତେଲ ଦର ବଢିବାରେ ଲାଗିଛି । ଦୁଇଦିନରେ ଡାଲି ଓ ତେଲ ଦରରେ ୫୦ରୁ ୬୦ ଟଙ୍କା ବଢିଛି । ସେପଟେ ଏହାର ସୁଯୋଗରେ ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା ଖାଦ୍ୟ ସାମଗ୍ରୀ ହୋର୍ଡିଂ କରିବାକୁ ପଛାଉନାହାନ୍ତି ବୋଲି ଅଭିଯୋଗ ହୋଇଛି ।

ଭାଙ୍ଗିଲା ଯୋଗାଣ ଶୃଙ୍ଖଳ । ବଜାରରେ ନିଆଁ । ଡାଲି, ତେଲ ଦର ପୁଣି ଥରେ ଆକାଶଛୁଆଁ । ଲୁହ ନୁହେଁ ରକ୍ତ କନ୍ଦାଇବ ଲୋହିତ ସାଗର । ବାରମ୍ବାର ଆକ୍ରମଣକୁ ଡରି ୧୮ଟି ଅନ୍ତଃରାଷ୍ଟ୍ରୀୟ ଜାହାଜ କମ୍ପାନୀ ଗତକାଲିଠୁ ଲୋହିତ ସାଗରରେ ବନ୍ଦ କରିଛନ୍ତି ପରିବହନ । ଫଳରେ ଭାରତକୁ ଅତ୍ୟାବଶ୍ୟକ ସାମଗ୍ରୀ ଆସିବା ଏକ ପ୍ରକାର ଠପ୍ । ଦରଦାମ ବୃଦ୍ଧିରେ ଅଣ୍ଟା ସଳଖି ପାରୁନି ଖାଉଟି । ଶୀତଦିନରେ ବି ମହଙ୍ଗା ସବୁବର୍ଷର ରେକର୍ଡ ଭାଙ୍ଗିଛି । ଭାରତକୁ ଟାର୍ଗେଟ୍ କରି ଲୋହିତ ସାଗରରେ ପଣ୍ୟଦ୍ରବ୍ୟ ନେଇ ଆସୁଥିବା ଜାହାଜ ଉପରେ ଆକ୍ରମଣ ଜାରି ରହିବାରୁ ହରଡ଼ ଡାଲି, ଖାଇବା ତେଲ ଦର ବଢିବା ଆରମ୍ଭ ହୋଇଛି ।

ଗତ ଦୁଇଦିନରେ ୧୨୨ ଟଙ୍କା ଥିବା ହରଡ଼ ଡାଲି ଏବେ ୧୩୫ ଟଙ୍କା । ୧୪୦ ଟଙ୍କାରେ ମିଳୁଥିବା ଡାଲି ଏବେ ହେଲାଣି ୧୫୦ ଟଙ୍କା । ସେହିପରି ପାମୋଲିନ୍ ଟିଣ ୮୧୦ ଟଙ୍କା ମିଳୁଥିଲା  । ଏବେ ହେଲାଣି ୮୩୦ ଟଙ୍କା । ୧୫ ଲିଟର ସୂର୍ଯ୍ୟମୁଖୀ ଦର ଥିଲା ୯୧୦ ଟଙ୍କା । ଏବେ ହେଲାଣି ୯୮୦ ଟଙ୍କା । ୧୭୪୦ ଟଙ୍କାରେ ମିଳୁଥିବା ସୂର୍ଯ୍ୟମୁଖୀ ଦର ବୃଦ୍ଧି ଘଟି ହୋଇଛି ୧୭୮୦ ଟଙ୍କା । ଚାହିଦା ମୁତାବକ ଅତ୍ୟାବଶ୍ୟକ ସାମଗ୍ରୀ ଦର ଷ୍ଟକ୍ କମ୍ ହେବାରୁ ଦର ଧୀରେ ଧୀରେ ବଢିବାରେ ଲାଗିଛି । ରାଜ୍ୟ ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି, ସୁଯୋଗ ଉଣ୍ଡି ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା ହୋର୍ଡିଂ କରୁଛନ୍ତି । ନିରବ ବସିଛନ୍ତି କେନ୍ଦ୍ର ସରକାର ।

ଭାରତକୁ ଜଳପଥରେ କମ୍ ଖର୍ଚ୍ଚରେ ପଣ୍ୟ ଦ୍ରବ୍ୟ ଆସିବାରେ ଲୋହିତ ସାଗରରେ ଗଲ୍ଫ  ଅଫ୍ ଏଦେନ୍ ବାଟ ବଡ଼ ସହାୟକ ହୋଇଥାଏ । ହାଉଥି ବିଦ୍ରୋହୀ ଓ ସୋମାଲି ଜଳଦସ୍ୟୁଙ୍କ ଯୋଗୁ ଏହି ଜଳପଥ ଆଉ ସୁରକ୍ଷିତ ନୁହେଁ । ଏହାର ବିକଳ୍ପ ବାଟ ହେଲା ଦକ୍ଷିଣ ଆଫ୍ରିକାର କେପ୍ ଅଫ୍ ଗୁଡ୍ ହୋପ୍ । ଏହି ବାଟ ଦେଇ ଭାରତର ଆରବ ସାଗରରେ ଜାହାଜକୁ ପହଞ୍ଚିବାକୁ ହେଲେ ଅନ୍ୟୁନ ୧୦ ଦିନ ଅଧିକ ଲାଗିବ । ଯେଉଁଥିପାଇଁ ଜାହାଜ ପରିବହନ ଖର୍ଚ୍ଚ ବି ଅଧିକ ରହିବ । ଆଉ ଏହି ଅତିରିକ୍ତ ଖର୍ଚ୍ଚ ଖାଉଟିଙ୍କୁ ଦେବାକୁ ପଡ଼ିବ ।