ଭୁବନେଶ୍ୱର : ଟିଭି ବିରୋଧରେ ପୁଣି ତେଜିଲା ଦଳିତଙ୍କ ଆନ୍ଦୋଳନ। ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଖୋର୍ଦ୍ଧା ଜିଲ୍ଲା ସାରୁଅ ପଞ୍ଚାୟତର ଶହ ଶହ ଦଳିତ। ବାରମ୍ବାର ପ୍ରତିଶ୍ରୁତି ଦେଇ ନିରାଶ କରୁଥିବାରୁ ପୁଣି ଓଟିଭି ବିରୋଧରେ ଆନ୍ଦୋଳନ ମୁଣ୍ଡ ଟେକିଛି। ଖୋର୍ଦ୍ଧା ଜିଲ୍ଲା ସାରୁଅ ପଞ୍ଚାୟତର ଦଳିତ ରାଜରାସ୍ତାକୁ ଓହ୍ଲାଇ ଓଟିଭି ବିରୋଧରେ ନାରାବାଜି କରିଛନ୍ତି। ୨୦୧୩ମସିହାରୁ ପ୍ରାୟ ୨୨ଏକର ଜମିକୁ ଓଟିଭିର ଅନ୍ୟ ଏକ ସଂସ୍ଥା ଓଡ଼ିଶା ଇନଫ୍ରା ଟେକ ପ୍ରାଇଭେଟ୍ ଲିମିଟେଡ ଶାଗ ମାଛ ଦରରେ ହଡ଼ପ କରି ନେଇଛି।
ପ୍ରତିଶ୍ରୁତି ମୁତାବକ ଜମିକୁ ପାଣି ନଛାଡ଼ିବାରୁ ଏବଂ ଚାକିରି ନଦେବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଦଳିତ। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ପୁଣି ଫେରାଦ ହୋଇଛନ୍ତି। ଜମିକୁ ରବୀନ୍ଦ୍ର ସେଠୀ ନାମକ ବ୍ୟକ୍ତିଙ୍କ ନାଁରେ ପ୍ରଥମେ କିଣି ପରେ ଚଞ୍ଚକତା କରି ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ନାଁରେ କରାଇ ନେଇଛି । ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ୍ ଓଟିଭି ନେଟୱର୍କର ଆଉ ଏକ ସଂସ୍ଥା ।
ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ଓଟିଭି ଏମଡି ତଥା ବୈଜୟନ୍ତଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ଏହାର ମାଲିକ। ବିଭିନ୍ନ ସମୟରେ କିଛି ଲୋକଙ୍କୁ ପ୍ରଲୋଭିତ କରି, ଅନ୍ଧାରରେ ରଖି ଓ ଚାକିରି ଦେବାକୁ କହି ସେମାନଙ୍କ ଜରିଆରେ ଜମି ହଡ଼ପ କରିନେଇଛନ୍ତି । ଏଭଳି ଚଞ୍ଚକତା ସମ୍ପର୍କରେ ୨୦୨୦ ମସିହାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଇଥିଲେ କ୍ଷତିଗ୍ରସ୍ତ ଦଳିତ। ଏହାପରେ ଜିଲ୍ଲାପାଳ ଖୋର୍ଦ୍ଧା ଏଡିଏମଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ ଏଡିଏମ ଦେଇଥିବା ରିପୋର୍ଟର ଗୁରୁତ୍ୱ ଉପଲବ୍ଧି କରି ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ଦିଆଯାଇଥିଲା।
ଇଓଡବ୍ଲୁର ତଦନ୍ତ ବେଳେ ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ଅନେକ କର୍ମଚାରୀଙ୍କୁ ଜେରା କରାଯାଇଥିଲା। ପରେ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଓ ଏଜେଣ୍ଟ ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରାଯାଇଥିଲା। ଜମି ହରାଇ ଦଳିତ ଏବେ ନିଃସ୍ବ। ଦୀର୍ଘ ଦିନ ହେଲା ଅଭିଯୋଗ ପରେ ବି ଜମି ଫେରସ୍ତ ପାଇନାହାନ୍ତି । ବିଧିବଦ୍ଧ ଭାବେ ଜମି ଫେରସ୍ତ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସାରୁଅ ବାସିନ୍ଦା।

