କୋଲକତା ବିମାନ ବନ୍ଦରରେ ଖୋଲା ଚାଲିଛି ଡାକୋଟା, ଦୁଇଟି ଲରିରେ ଆସିବ ଭୁବନେଶ୍ବର

ଭୁବନେଶ୍ବର: ଫେରୁଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଡାକୋଟା । ବିମାନର ସବୁ ଅଂଶ ଖୋଲିବା ପରେ ଏବେ ପ୍ୟାକିଂ ସରିଛି । ଏଆର୍‌ଡିସିର ୧୦ ଜଣିଆ ଟିମ୍‌ ଗତ ୧୨ ଦିନ ଧରି ଖୋଲିବା କାମରେ ନିୟୋଜିତ ହୋଇଥିଲେ ।

ଆଜି ରାତିରେ ଦୁଇଟି ଲରିରେ ଡାକୋଟା ବିମାନର ସବୁ ଅଂଶ ଲୋଡ କରାଯିବ । ଆସନ୍ତାକାଲି ସନ୍ଧ୍ୟାରେ କୋଲକାତାର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରି ଓଡ଼ିଶା ଅଭିମୁଖେ ଆସିବ ଡାକୋଟା । ଅତି ଯତ୍ନର ସହ ବିମାନର ସବୁ ଅଂଶକୁ ଆଣିବା ପାଇଁ କାଠର ସ୍ବତନ୍ତ୍ର ବାକ୍ସ ତିଆରି ହୋଇଛି । ୧୫ ଫୁଟ ଉଚ୍ଚତାର ପ୍ୟାକିଂକୁ ଦୁଇଟି ଲରି ଯୋଗେ ଅଣାଯିବ ।

ପରିବହନ ବେଳେ ଯେପରି ଟ୍ରାଫିକ୍‌ ସମସ୍ୟା ନ ହେବ, ସେଥିପାଇଁ ରାତିରେ ଅଣାଯିବାକୁ ନିଷ୍ପତ୍ତି ହୋଇଛି । ବିମାନଟି ସୁରକ୍ଷିତ ଭୁବନେଶ୍ବରରେ ପହଞ୍ଚିବା ବାଟରେ ଯେଉଁସବୁ ଜିଲ୍ଲା ଦେଇ ଆସିବ ସେସବୁ ଜିଲ୍ଲା ପ୍ରଶାସନ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରିଛନ୍ତି ।