ବସକୁ ଘେରିଗଲେ ଡକାୟତ ଗ୍ୟାଙ୍ଗ, ତା’ପରେ…
1 min readନୀଳଗିରି: କିଟିମିଟି ଅନ୍ଧାର । ଜଙ୍ଗଲି ରାସ୍ତାରେ ଆଗକୁ ମାଡ଼ି ଚାଲିଥିଲା ଯାତ୍ରୀବାହୀ ବସ୍ । କେହି କେବେ ଭାବି ନଥିଲେ ଅନ୍ଧାର ରାତିରେ ଜଗି ବସିଛି ବିପଦ । ଘାତ ଲଗାଇ ବସର ଆସିବା ବାଟକୁ ଅନାଇ ବସିଥିଲେ ଡକାୟତି ଗ୍ୟାଙ୍ଗ । ବସ୍ ଠିକଣା ସ୍ଥାନରେ ପହଞ୍ଚିବା ପରେ ଡକାୟତ ଗ୍ୟାଙ୍ଗର ପ୍ଲାନ୍ ବି କାମ ଦେବା ଆରମ୍ଭ କରିଥିଲା । ହେଲେ ଠିକ୍ ସମୟରେ ଦେବଦୂତ ସାଜି ପହଞ୍ଚି ଯାଇଥିଲେ ଜଣେ ବନ କର୍ମଚାରୀ । ଏକା ଥିଲେ ବି ଉପସ୍ଥିତି ବୁଦ୍ଧି ଖଟାଇ ବଞ୍ଚାଇ ଦେଲେ ବସ୍ କମର୍ଚାରୀଙ୍କ ସହ ସମସ୍ତ ଯାତ୍ରୀଙ୍କ ଧନଜୀବନ ।
ଘଟଣା ନୀଳଗିରି ଅଞ୍ଚଳର । ତିନିକୋଷିଆ ଜଙ୍ଗଲ ଦେଇ ନୀଳଗିରି-ଉଦଳା ରାସ୍ତାରେ ଗନ୍ତବ୍ୟ ସ୍ଥଳ ଆଡ଼କୁ ଆଗେଇ ଚାଲିଥାଏ ‘ବିଜୟା’ ବସ୍ । ହେଲେ, ବସକୁ ଟାର୍ଗେଟ କରି ଜଗି ବସିଥିଲେ ଡକାୟତି ଗ୍ୟାଙ୍ଗ । ବିରାଟ କାୟ ଶାଳ ଗଛ କାଟି କରିଥିଲେ ରାସ୍ତା ଅବରୋଧ । ଡକାୟତ ଗ୍ୟାଙ୍ଗର କିଛି ଦୁର୍ବୃତ୍ତ ରାସ୍ତା ଅବରୋଧ ସ୍ଥାନରେ ଉପସ୍ଥିତ ଥିଲେ । କିଛି ଦୂରରେ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟ ଏକ ପଲସର ବାଇକ ଧରି ବସ୍ ଆସିବା ବାଟକୁ ଅନାଇ ବସିଥିଲେ । ପ୍ଲାନିଂ ମୁତାବକ ବିଜୟା ବସ୍ ଉଦଳା ପଟୁ ଆସି ପହଞ୍ଚିଥିଲା ।
ହାତ ହଲାଇ ବାଇକରେ ଥିବା ଦୁଇ ଦୁର୍ବୃତ୍ତ ବସକୁ ଅଟକାଇଥିଲେ । ବସ୍ ରହିବା ପରେ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଆଗରେ ଗଛ ପଡି ରାସ୍ତା ବନ୍ଦ ହୋଇଯାଇଛି ବୋଲି କହିଥିଲେ । ଏହାପରେ ୨୦୦ ଟଙ୍କା ଦିଅ ଅନ୍ୟ ବାଟ ଅଛି ଦେଖାଇ ଦେବୁ ସେ ବାଟ ଦେଇ ପଳାଇବେ ବୋଲି କହିଥିଲେ । ଏମିତି ଶୁଣିବା ପରେ ବସ୍ କର୍ମଚାରୀଙ୍କ ମନରେ ସନ୍ଦେହ ହୋଇଥିଲା ।
ଡକାୟତି ଗ୍ୟାଙ୍ଗ କିଛି କରିବ ପୂର୍ବ ଦେବଦୂତ ସାଜି ପହଞ୍ଚି ଯାଇଥିଲେ ପାଟ୍ରୋଲିଂରେ ଥିବା ସଜନାଗଡ଼ ବନରଖି । ତେବେ ଦୁର୍ବୃତ୍ତମାନେ ବନରକ୍ଷୀଙ୍କୁ ଦେଖିବା ମାତ୍ରେ ଗୋଡାଇଥିଲେ । ବନରକ୍ଷୀ ପ୍ରତିବାଦ କରିବାରୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଘଟଣା ସ୍ଥଳରୁ ଚାଲିଯିବାକୁ ଧମକ ଦେଇଥିଲେ । ତଥାପି ବନରକ୍ଷୀ ବିଚଳିତ ନହୋଇ ଡକାୟତ ଗ୍ୟାଙ୍ଗର ସାମ୍ନା କରିଥିଲେ । ଏହାସହ ଫୋନ କରି ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଖବର ପାଇ ଆଖପାଖର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ଡଗାୟତି ଗ୍ୟାଙ୍ଗ ଛତ୍ରଭଙ୍ଗ ଦେଇ ରାତିର ଅନ୍ଧାରରେ ଜଙ୍ଗଲ ଭିତରକୁ ଖସି ଯିବାକୁ ସକ୍ଷମ ହୋଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବନ ବିଭାଗ ଶାଳଗଛକୁ ରାସ୍ତାରୁ କାଟି ସଫା କରିବା ପରେ ଯାତ୍ରୀଙ୍କୁ ଧରି ‘ବିଜୟା’ ବସ୍ ଗନ୍ତବ୍ୟ ସ୍ଥଳକୁ ବାହାରିଥିଲା ।