ଓମଫେଡ୍ ସହ ଏନଡିଡିବିର ଚୁକ୍ତି କରି ସରକାର ଆପଣାଉଛନ୍ତି ଚାଷୀ ମାରଣ ନୀତି

ଭୁବନେଶ୍ବର :  ଓମଫେଡ୍ କ୍ଷୀର ପ୍ୟାକେଟର ଦର ବଢ଼ିଲା। ହେଲେ ଚାଷୀଙ୍କୁ ମିଳିଲାନି ଅଧିକ ପ୍ରାପ୍ୟ। ପୁଣି ଓମଫେଡ୍ ସହ ଏନଡିଡିବିର ଚୁକ୍ତି କରି ସରକାର ଆପଣାଉଛନ୍ତି ଚାଷୀ ମାରଣ ନୀତି। ସରକାରଙ୍କ ଏଭଳି ନୀତିକୁ ତୀବ୍ର ବିରୋଧ କରିଛନ୍ତି ଦୁଗ୍ଧ ଚାଷୀ। ଓଡ଼ିଶାର ସ୍ବାଭିମାନକୁ ଶାଗ ମାଛ ଦରରେ ଜାତୀୟ ସଂସ୍ଥାକୁ ଟେକିଦେଲେ। ଦୁଗ୍ଧଚାଷୀଙ୍କ ଭବିଷ୍ୟତକୁ ଦଳି ମକଚି ଦେବାକୁ ବସିଛି ବିଜେପି ସରକାର । ଓଡ଼ିଶାର ଦୁଗ୍ଧ ଚାଷୀ ଓ ଗ୍ରାହକଙ୍କ କ୍ଷୀର ଆବଶ୍ୟକତା ମେଣ୍ଟାଉଥିବା ଓମଫେଡକୁ ନେଇ ଏବେ ବିବାଦ ତୀବ୍ର ହେବାରେ ଲାଗିଛି। ଜାତୀୟ ଡାଏରୀ କଲ୍ୟାଣ ପରିଷଦ ବା ଏନଡିଡିବି ସହ ଓମଫେଡର ଏହି ଚୁକ୍ତି ଯୋଗୁ ରାଜ୍ୟର ଦୁଗ୍ଧ ଚାଷୀ ମାନେ ବ୍ୟାପକ କ୍ଷତି ସହିବେ । କ୍ଷୀର ଲିଟର ପିଛା ବଜାର ଦର ୫୨ରୁ ୬୨ ଟଙ୍କା ହେଲାଣି। ହେଲେ ଚାଷୀଙ୍କ ପ୍ରାପ୍ୟ ସେହି ୩୫ ଟଙ୍କାରେ ସୀମିତ ରହିଛି। ଚାଷୀଙ୍କ ଏମ୍ଏସପି ବୃଦ୍ଧି ନ କଲେ ଏବଂ ଚୁକ୍ତିନାମା ପ୍ରତ୍ୟାହାର ନକଲେ ଆଗକୁ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଦୁଗ୍ଧ ଚାଷୀ।

ଓମଫେଡର ମାନ ପରୀକ୍ଷା, ପ୍ୟାକେଜିଙ୍ଗ କାମ କରିବ ଏନଡିଡିବି। ଓମଫେଡର ଲାଭାଂଶରୁ ଭାଗ ନେବ ଏହି ଜାତୀୟ ସଂସ୍ଥା। ହେଲେ ଯେଉଁ ଚାଷୀଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରି ଓମଫେଡ ଏତେ ବଡ଼ ବ୍ରାଣ୍ଡ ହୋଇଛି, ସେମାନଙ୍କ ପ୍ରାପ୍ୟ କିନ୍ତୁ ବଢ଼ିବ ନାହିଁ। ଓମଫେଡ୍ ଓ ରାଜ୍ୟ ସରକାରଙ୍କ ଏଭଳି ନୀତିକୁ ପ୍ରବଳ ବିରୋଧ କରିଛି ଦୁଗ୍ଧ ଚାଷୀ ମହାସଂଘ। ରାଜ୍ୟର ପ୍ରାୟ ୩ ହଜାର ୮୦୦ ଦୁଗ୍ଧ ସମବାୟ ସମିତିରୁ କ୍ଷୀର ସଂଗ୍ରହ କରୁଛି ଓମଫେଡ। ଯେଉଁଥିରେ  ପ୍ରାୟ ୭ଲକ୍ଷ ଚାଷୀ ପଞ୍ଜୀକୃତ ଅଛନ୍ତି। ହେଲେ ଏବେ ଏନଡିଡିବି ସହିତ ଚୁକ୍ତି ପରେ ଲାଭାଂଶ ଚାଷୀଙ୍କ ପକେଟକୁ ଯିବା ବଦଳରେ ରାଜ୍ୟ ବହାର ସଂସ୍ଥା ନେଇଯିବାର ଆଶଙ୍କା ଉପୁଜିଛି। ଏଭଳି ମୁନମୁଖୀ ନିଷ୍ପତ୍ତିକୁ ମହାସଂଘ ବିରୋଧ କରିବା ସହ ପଶୁସମ୍ପଦର ବିକାଶ ପାଇଁ ସ୍ବାସ୍ଥ୍ୟବୀମା ଏବଂ ଦୁଗ୍ଧଚାଷୀଙ୍କୁ ବିନା ସୁଧରେ ଋଣ ଦେବାକୁ ଦାବି କରିଛି ସଂଘ।

ପୂର୍ବରୁ କର୍ଣ୍ଣାଟକରେ ବିଜେପି ସରକାର ନନ୍ଦିନୀ ବ୍ରାଣ୍ଡକୁ ଏନଡିଡିବି ହାତରେ ଟେକି ଦେଉଥିଲେ। କିନ୍ତୁ ଚାଷୀଙ୍କ ଆନ୍ଦୋଳନ ପରେ ଏହି ନିଷ୍ପତ୍ତିରୁ ଓହରିଥିଲା ବିଜେପି। ସେହିପରି ମହାରାଷ୍ଟ୍ରର ମହାଆନନ୍ଦ ଡାଏରୀ କ୍ଷୀର ବ୍ରାଣ୍ଡକୁ ଏନଡିଡିବି ହାତକୁ ଟେକି ଦିଆଯାଇଥିବା ବେଳେ, ଏବେ ଓମଫେଡର ପାଳି ପଡିଛି।