ଜୀବନ ଜିଇଁବା ଆଗରୁ ରୋଗ ଫାଶରେ ପଡ଼ିଲା ରାହୁଳ, ଅସ୍ୱାଭାବିକ୍‌ ଭାବେ ବଢ଼ୁଛି ପେଟ

Kandhamal

କନ୍ଧମାଳ: ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଅର୍ଥ ଅଭାବରୁ ୧୩ ବର୍ଷ ପୁଅର ହୋଇପାରୁନାହିଁ ଚିକିତ୍ସା । ଅସ୍ୱାଭାବିକ୍‌ ଭାବେ ରାହୁଲର ପେଟ ବଢୁଥିବା ବେଳେ ଅସହାୟ ମା’ ପୁଅର ଚିକିତ୍ସା ପାଇଁ ସରକାରୀ ସହାୟତାକୁ ଚାହିଁ ବସିଛି । ଏଭଳି ଦୁଃଖଦ ଘଟଣା ସମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍‌ ଜକିକିର ଗାଁରୁ ।

ପୁଅ ରାହୁଲ ମଳିକର ପେଟ ବଢ଼ିବାରେ ଲାଗିଛି । ରୋଗ କ’ଣ ଜଣାପଡ଼ୁନାହିଁ । ଆଉ ଅତ୍ୟାଧୁନିକ ଚିକିତ୍ସା ପାଇଁ ମା’ ପାଖରେ ଟଙ୍କା ନାହିଁ । ରାହୁଲ ମାତ୍ର ତେର ବର୍ଷ ବୟସର । ଜୀବନ କ’ଣ ବୋଲି ଜାଣିବା ଆଗରୁ ସେ ଅଜଣା ରୋଗ କବଳରେ ଛନ୍ଦି ହୋଇଯାଇଛି । ଜୀବନ ଆରମ୍ଭରୁ ଯନ୍ତ୍ରଣାରେ ଛଟପଟ ହେଉଛି ରାହୁଲ ।

ବାପା ଗାଡି ଧକ୍କାରେ ଆରପାରିକୁ ଚାଲିଯିବା ପରେ ବିଧବା ମା’ ଉପରେ ପରିବାରର ବୋଝ । ଦିନ ମଜୁରୀ ଭାବେ କାମ କରି ଯାହା ଦି ପଇସା ରୋଜଗାର କରେ ସେଥିରେ ୩ ପ୍ରାଣୀର ଘର ଚଳିବା କାଠିକର ପାଠ । ଏମିତିକି ଝିଅର ପାଠ ପଢ଼ା ପାଇଁ ବି ଟଙ୍କା ନଥିବାରୁ ସେଥିରେ ଡୋରୀ ବନ୍ଧା ହେଲା । ଆଉ ଏଭଳି ପରିସ୍ଥିତିରେ ପୁଅର ଚିକିତ୍ସା କଥା ତ ବହୁ ଦୂରରେ । ଏବେ କେବଳ ସରକାରୀ ସହାୟତା ପାଇଁ ଚାହିଁ ରହିଛନ୍ତି ରାହୁଲ ମଳିକର ମା’ ।

Leave a Reply