ଶୁଭାରମ୍ଭ ହେଲା ଦୈନିକ ଖବର କାଗଜ ‘ସକାଳ’, ରାଜ୍ୟଠୁ ଦେଶ ବିଦେଶ କାଗଜରେ ରହିବ ପ୍ରତିଟି ଖବର

ଭୁବନେଶ୍ୱର: କାହାକୁ ଡରିବାର ନାହିଁ କିମ୍ବା କେଉଁଠି ହାରିବାର ନାହିଁ । ରଙ୍ଗ ବଦଳାଇବାର ନାହିଁ କିମ୍ବା କାହା ହାତ ଛାଡିବାର ନାହିଁ । କେବଳ ନିର୍ଭୁଲ ଓ ସଠିକ ଖବର ଦେଖାଇ ଅଗଣିତ ପାଠକଙ୍କ ଆସ୍ଥା ଜିତିବ । ରାଜ୍ୟଠୁ ନେଇ ଦେଶ ବିଦେଶର ରାଜନୀତି, ଅର୍ଥନୀତି, ଅପରାଧ, କ୍ରୀଡ଼ା, ମନୋରଂଜନ ଆଦି କ୍ଷେତ୍ରରେ ପାଠକଙ୍କୁ ସତେଜ ଖବର ଭେଟି ଦେବ । ବଦଳୁଥିବା ଯୁଗ ସହ ତାଳ ଦେଇ ଲୋକଙ୍କ ରୁଚି ମୁତାବକ ଖବର ପ୍ରକାଶ କରିବ ସକାଳ । ଶାସନ ଓ ପ୍ରଶାସନ ସହିତ ସମାଜର ପ୍ରତ୍ୟେକ ସ୍ତରର ଲୋକଙ୍କ ପାଇଁ ସମ୍ପର୍କର ସେତୁ ଭାବେ କାର୍ଯ୍ୟ କରିବାକୁ ସକାଳ ପ୍ରତିଶ୍ରୁତି ବଦ୍ଧ ।

ରାଜ୍ୟର କୋଣ ଅନୁକୋଣରେ ଘଟୁଥିବା ଘଟଣାର ସାଜିବ ଜାଗତ ପ୍ରହରୀ । ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ସ୍ୱରକୁ ଶାଣିତ କରିବ । ସାଜିବ ସାଧାରଣ ଲୋକଙ୍କ ସ୍ୱର । ଏପରି ପ୍ରତିଶ୍ରୁତି ଦେଇ ଆତ୍ମପ୍ରକାଶ କରିଛି ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ ।

ଗତକାଲି ହୋଟେଲ ମାରିଅନରେ ‘ସକାଳ’ର ଆନୁଷ୍ଠାନିକ ଉଦଘାଟନ ହୋଇଯାଇଛି । ଉଦଘାଟନ ଉତ୍ସବରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ପିଆଇବିର ପୂର୍ବତନ ମହାନିର୍ଦ୍ଦେଶକ ତଥା ସକାଳର ମୁଖ୍ୟ ସମ୍ପାଦକ ଡ. ଉମାକାନ୍ତ ମିଶ୍ର, ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ କୁମାର ମଲ୍ଲିକ, ସକାଳର ନ୍ୟୁଜ ଏଡିଟର ସମରେନ୍ଦୁ ଦାସ, ନନ୍ଦିଘୋଷ ଟିଭିର ସିଇଓ ଜବରସିଂ ପନୱର , ସଂପାଦକ ଶିଶିର ଭଟମିଶ୍ର ଉପସ୍ଥିତ ରହି ସକାଳ ଖବରକାଗଜକୁ ଉନ୍ମୋଚନ କରିଛନ୍ତି । ନିର୍ଭୁଲ, ସଠିକ ଓ ସତେଜ ଖବର ପ୍ରସାରଣ କରି ସକାଳ ଜନାଦୃତ ଲାଭ କରିବ ବୋଲି ଅତିଥି ମାନେ ଆଶା ପୋଷଣ କରିଛନ୍ତି ।

Leave a Reply