ପୁଣି ଦାଦନ ଦୁଃଖ, ସମ୍ବଲପୁରରୁ ଆସିଲା ସାଂଘାତିକ ଅଭିଯୋଗ

ସମ୍ବଲପୁର : ସମ୍ବଲପୁରରେ ଦାଦନ ଦୁଃଖ । ଆନ୍ଧ୍ରରେ ବନ୍ଧା ପଡ଼ିଛନ୍ତି ଦୁଇ ଯୁବକ । ୫ ମାସ ହେଲା ଛାଡୁନି ମାଲିକ । ଘରକୁ ଫୋନ କରି ଜଣାଇଲେ ନିର୍ଯାତନାର କରୁଣ କାହାଣୀ । ଚିନ୍ତାରେ ପରିବାର ଲୋକେ । ସମ୍ବଲପୁର ବାଉଁସେନମୁରା ଗାଁର ଦୁଇଜଣ ଯୁବକ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମରେ ବନ୍ଧକ ପଡ଼ିଥିବା ଅଭିଯୋଗ ହୋଇଛି । ଲୁଚି ଛପି ଘରକୁ କଲ କରି ଜଣାଇବା ପରେ ଉଭୟଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକ । ଦୁଇ ଯୁବକ କୃଷ୍ଣ ଭୋଇ ଓ ନିର୍ମାଲ୍ୟ କଅଁର ଗତ ୫ ମାସ ତଳେ ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ ।

ମାଲିକଙ୍କ ନିର୍ଯାତନା ଖବର ଶୁଣିବା ପରେ ଆଶା ଆଶଂକାରେ ପରିବାର ଲୋକେ । କାନ୍ଦି କାନ୍ଦି ପୁଅକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ଯୁବକଙ୍କ ମାଆ । ଘରର ପରିସ୍ଥିତି ଦେଖି ଭେଣ୍ଡିଆ ପୁଅ କାମକୁ ଯାଇଥିଲା । ସେ ଏବେ କିପରି ଅଛି, ତାକୁ ନେଇ ଚିନ୍ତାରେ ପରିବାର ଲୋକେ । ବାରମ୍ବାର ଅନୁରୋଧ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା କହିଛନ୍ତି ସମ୍ପର୍କୀୟ । ପଶ୍ଚିମ ଓଡ଼ିଶାର ପିଛା ଛାଡୁନି ଦାଦନ ଦୁଃଖ । ବଲାଙ୍ଗୀର ଜିଲ୍ଲାପରେ ଏବେ ସମ୍ବଲପୁରକୁ ବ୍ୟାପିଲାଣି ଏହି ସମସ୍ୟା । ଦୁଇ ଯୁବକଙ୍କୁ ଫେରାଇ ଆଣିବାକୁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।