ଦାଦନ ଶ୍ରମିକଙ୍କୁ ଅପହରଣ କରି ଦେଢ଼ ଲକ୍ଷ ଦାବି, ସାହାଯ୍ୟ ପାଇଁ କାନ୍ଦି କାନ୍ଦି ରାସ୍ତାରେ ବୁଲୁଛନ୍ତି ବୃଦ୍ଧ ମାଆବାପା
ବଲାଙ୍ଗୀର: ପୁଣି ଦାଦନ ନିର୍ଯାତନା ଅଭିଯୋଗ । ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ଜଣେ ଯୁବକଙ୍କୁ ଅପହରଣ କରି ଜଙ୍ଗଲରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ । ଦେଢ଼ ଲକ୍ଷ ଟଙ୍କା ନଦେଲେ ପୁଅ ମୁହଁ ଦେଖି ପାରିବନି ବୋଲି ଅପହରଣକାରୀଙ୍କ ଚେତବାନୀ । ଗରିବ ବାପାମାଆ ଧମକ ପାଇବା ପରଠାରୁ ଏଣେ ତେଣେ ବୁଲି କାନ୍ଦି କାନ୍ଦୁ ସାହାଯ୍ୟ କରିବାକୁ କରୁଛନ୍ତି ଅନୁରୋଧ । ଏମିତି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ ।
ଅଭିଯୋଗ ଅନୁସାରେ ବିଜୁଳିମୁଣ୍ଡା ଗାଁର ଯୁବ ଶ୍ରମିକ ସୁନୀଲ ନାଏକ ପରିବାର ପ୍ରତିପୋଷଣ ପାଇଁ ସିକନ୍ଦରା ଯାଉଥିଲେ । ସେଠାରେ ସେ ଏକ ଇଟାଭାଟିରେ କାମ କରୁଥିଲେ । ତେବେ ଇଟାଭାଟି ମାଲିକ ତାଙ୍କୁ ଅପହରଣ କରି ଜଙ୍ଗଲରେ ରଖିଛି । ତାଙ୍କୁ ନିର୍ଧୁମ ମାଡ଼ ମରାଯାଉଥିବା ବେଳେ ଖାଇବା ପିଇବାକୁ ମଧ୍ୟ ଦିଆଯାଉନି । ସୁନୀଲଙ୍କ ଘରକୁ ଫୋନ କରି ଦେଢ଼ ଲକ୍ଷ ଟଙ୍କା ଦାବି କରିଛନ୍ତି ଇଟାଭାଟି ମାଲିକ । ଯଦି ଟଙ୍କା ନମିଳିବ ତେବେ ତୁମ ପୁଅକୁ ହତ୍ୟା କରିବୁ ବୋଲି ଧମକ ମଧ୍ୟ ଦେଇଛନ୍ତି ।
ଅଗିଯୋଗ ପାଇବା ପରେ ଅସହାୟ ହୋଇ ପଡ଼ିଛନ୍ତି ବୃଦ୍ଧ ବାପାମାଆ । କାହାକୁ କହିବେ, କେଉଁଠୁ ଟଙ୍କା ଯୋଗାଡ଼ କରିବା ଚିନ୍ତାରେ ରାସ୍ତାରେ କାନ୍ଦି କାନ୍ଦି ବୁଲୁଛନ୍ତି । ଆଉ ଯାହାକୁ ଦେଖୁଛନ୍ତି ସାହାଯ୍ୟ ମାଗୁଛନ୍ତି । କିଛି ଲୋକ ବୃଦ୍ଧ ଦମ୍ପତିଙ୍କୁ ଏମିତି ଅବସ୍ଥାରେ ଦେଖି ତାଙ୍କ ଠାରୁ ଘଟଣା ସମ୍ପର୍କରେ ଜାଣିଥିଲେ । ଏହାପରେ ସେମାନଙ୍କୁ ବଲାଙ୍ଗୀର ଏସଡିପିଓଙ୍କ ନିକଟକୁ ନେଇଥିଲେ । ବୃଦ୍ଧ ବାପାମାଆଙ୍କଠାରୁ ସବୁ ଶୁଣିବା ପରେ ଆକ୍ସନ ମୋଡକୁ ଆସିଛି ପୋଲିସ । ସିକନ୍ଦରାବାଦ ପୋଲିସକୁ ସ୍ଥାନୀୟ ପୋଲିସ ଯୋଗାଯୋଗ କରିବା ସହ ତୁରନ୍ତ ସୁନୀଲଙ୍କୁ ଉଦ୍ଧାର କରିବାକୁ କହିଛି ।
ତେବେ ସୁନୀଲ ଇଟାଭାଟିକୁ କାମ କରିବାକୁ ଯାଇଥିଲେ । ସେଠାରେ ଏମିତି କ’ଣ ହେଲା ଯେ, ନିଜେ ଇଟାଭାଟି ମାଲିକ ତାଙ୍କୁ ଅପହରଣ କରି ଟଙ୍କା ମାଗୁଛନ୍ତି ତାହାର କାରଣ ସ୍ପଷ୍ଟ ହୋଇନି ।