ଥାନାବାବୁଙ୍କ ଦାଦାଗିରି; ତଦନ୍ତ ପାଇଁ ଲାଞ୍ଚ ନେଉଛନ୍ତି, ପଚାରିଲେ ରାଗି ଯାଉଛନ୍ତି

ବାଲେଶ୍ୱର: କଥାରେ ଅଛି ‘ଚୋରି ଉପର ସେ ସିନା ଜୋରି’ । ଥାନା ବାବୁ ତଦନ୍ତ ପାଇଁ ଲାଞ୍ଚ ନେଉଛନ୍ତି, ପଚାରିଲେ ପୁଣି ଗାଳିଗୁଲଜ କରୁଛନ୍ତି । ଜଣେ ପୋଲିସ ଅଧିକାରୀଙ୍କ ନାଁରେ ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦାରୁ ।

କମର୍ଦ୍ଦା ଥାନାରେ ଗୋପାଳ ଚନ୍ଦ୍ର ବାରିକ୍‌ ନାମକ ଜଣେ ବ୍ୟକ୍ତି ନିଜ ୧୪ ବର୍ଷର ଝିଅ ନିଖୋଜ ହୋଇଥିବା ନେଇ ଡିସେମ୍ବର ୨୩ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତଦନ୍ତ କରିବା ପାଇଁ ପୋଲିସ ଅଧିକାରୀ ତଥା ଥାନା ଏଏସ୍ଆଇ ଭକ୍ତହରି ପଟ୍ଟନାୟକ ଦୁଇ ହଜାର ଟଙ୍କା ଲାଞ୍ଚ ନେଇଥିବା ନାବାଳିକାର ବାପା କହିଛନ୍ତି ।

ତେବେ ଅଭିଯୋଗ କରିବାର ୧୨ ଦିନ ପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ତେଣୁ ଏନେଇ ଅଭିଯୋଗକାରୀ ତଥା ନିଖୋଜ ଝିଅର ପରିବାର ଲୋକ ଥାନାବାବୁଙ୍କୁ ପଚାରିବାରୁ, ଥାନା ବାବୁ ନିଖୋଜ ଝିଅ ବିଷୟରେ ସୂଚନା ଦେବା ପରିବର୍ତ୍ତେ ଓଲଟି ଅଭିଯୋଗକାରୀଙ୍କୁ ଗାଳିଗୁଲଜ କରିଥିଲେ । ଖାଲି ସେତିକି ନୁହେଁ ଅଭିଯୋଗକାରୀଙ୍କୁ ବିଭିନ୍ନ ଧମକ ଚମକ ଦେବା ସହ ପେଲାଠେଲା ମଧ୍ୟ କରିଥିଲେ ।

ତେବେ ଏହି ସବୁ ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟକୁ ନିଜ ମୋବାଇଲ କ୍ୟାମେରାରେ କଏଦ କରୁଥିବା ଜଣେ ସାମ୍ବାଦିକଙ୍କୁ ମଧ୍ୟ ପୋଲିସ ବାବୁ ଛାଡ଼ିନଥିଲେ । ସାମ୍ବାଦିକଙ୍କୁ ଆକ୍ରମଣ କରିବାକୁ ଓ ତାଙ୍କ କ୍ୟାମେରା ଛଡ଼ାଇନେବାକୁ ମଧ୍ୟ ପଛାଇନଥିଲେ ।

ଅନ୍ୟପଟେ ଖାଲି ନିଖୋଜ ଝିଅକୁ ଖୋଜିବା ପାଇଁ ଲାଞ୍ଚ ନୁହେଁ ବରଂ ବିଭିନ୍ନ ଜମିବାଡ଼ି ଗଣ୍ଡଗୋଳ ମାମଲାର ସମାଧାନ କରିବା ପାଇଁ ମଧ୍ୟ ପୋଲିସ ବାବୁ ହଜାର ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି ।

Leave a Reply