ନାଲି ଆଖି ଦେଖାଉଛନ୍ତି ପୋଲିସ ବାବୁ: ଅଭିଯୋଗ କଲେ ଅଭିଯୋଗକାରୀଙ୍କ ଉପରେ ହେଉଛି କାର୍ଯ୍ୟାନୁଷ୍ଠାନ

1 min read

ଢେଙ୍କାନାଳ: ନାଲି ଆଖି ଦେଖାଉଛନ୍ତି ପୋଲିସ ବାବୁ । ଫୋନରେ ଦେଉଛନ୍ତି ଧମକ ପରେ ଧମକ । ଖୁଲ୍ଲମଖୁଲା ଦାଦାଗିରି କରୁଛନ୍ତି ପୋଲିସ ବାବୁ । ଅଭିଯୋଗ କଲେ ଅଭିଯୋଗକାରୀଙ୍କ ବିରୋଧରେ ହେଉଛି କାର୍ଯ୍ୟାନୁଷ୍ଠାନ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଚାଲିଛି ଏଭଳି ପୋଲିସ ଜୁଲୁମ । କାମାକ୍ଷାନଗରର ତୁମୁସିଙ୍ଗା ଥାନାର ସବ-ଇନ୍ସପେକ୍ଟର ଫୋନରେ ଦେଉଛନ୍ତି ଧମକ ।

କଣ୍ଟାପାଳ ଗାଁର ଶରଣ ବେହେରାଙ୍କ ଲାଗିଛି ଭାଇଭାଗ ଗଣ୍ଡଗୋଳ  । ପୈତୃକ ସମ୍ପତ୍ତିରେ ଶରଣ ରହି ଆସୁଥିବାବେଳେ ଅନ୍ୟ ୩ ଭାଇ ତାଙ୍କୁ ଘର ଛାଡିବାକୁ ବାଧ୍ୟ କରୁଛନ୍ତି  । ଅଭିଯୋଗ ପରେ ଓଲଟା ଶରଣଙ୍କୁ ଥାନାକୁ ଡକାଇ ଧମକାଉଛନ୍ତି ପୋଲିସ ବାବୁ  ।  ଘର ଛାଡୁନଥିବାରୁ ପଘା ଲଗାଇ ଘୋଷାରିବାକୁ ଫୋନରେ ଦେଇଛନ୍ତି ଧମକ  ।

କେବଳ ଏହି ଜଣେ ପୋଲିସ ବାବୁ ନୁହଁନ୍ତି, କଙ୍କଡାହାଡ଼ ଥାନାବାବୁ ବି ଖାକି ବର୍ଦ୍ଦିର ଅପବ୍ୟବହାର କରୁଥିବା ଅଭିଯୋଗ ଆସିଛି  । ସ୍ଥାନୀୟ ଖରଖରି ଗାଁର ସର୍ଦ୍ଦାର ମୁର୍ମୁ ଓ ତାଙ୍କ ପରିବାର ଲୋକଙ୍କୁ ଗାଁ ଲୋକେ ଆକ୍ରମଣ କରିଥିବା କଙ୍କଡାହାଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସର୍ଦ୍ଦାର  । କଙ୍କଡାହାଡ ଥାନା ପୋଲିସ ଶୁଣୁନଥିବାରୁ ଢେଙ୍କାନାଳ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ ସର୍ଦ୍ଦାର ।

ତେବେ ନ୍ୟାୟ ପାଇବା ପରିବର୍ତ୍ତେ ଓଲଟା ଜେଲ ଗଲେ ସର୍ଦ୍ଦାର ଓ ତାଙ୍କ ସ୍ତ୍ରୀ । କଙ୍କଡାହାଡ ଥାନା ପୋଲିସ ଆଉ ଏକ ମାମଲାରେ ତାଙ୍କୁ ଦାୟୀ କରି ଗିରଫ କରିଥିଲା । ଏହା ବିରୋଧରେ କଙ୍କଡାହାଡ ଥାନା ଘେରାଉ କରିଥିଲେ ଗ୍ରାମବାସୀ । ଏହି ଦୁଇ ଘଟଣାରେ ପୋଲିସର ଜୁଲୁମ ଜଳଜଳ ହୋଇ ଦେଖାଯାଉଛି । ତେବେ ବରିଷ୍ଠ ପୋଲସି ଅଧିକାରୀ ଏହାର ଯାଞ୍ଚ କରି ଦୋଷୀଙ୍କୁ ଦଣ୍ଡ ଦେବା ସହ ନିର୍ଦ୍ଦୋଷଙ୍କୁ ନ୍ୟାୟ ଦେବା ପାଇଁ ବ୍ୟବସ୍ଥା କରିବେ ତ ?

Leave a Reply