ସାଇରସ୍ ମିସ୍ତ୍ରୀ ଦୁର୍ଘଟଣା ମାମଲା: ସିଟ୍ ବେଲ୍ଟ ଲଗାଇନଥିଲେ, ୧୨୦ କିମି ପ୍ରତି ଘଣ୍ଟାରେ ଚାଲୁଥିଲା କାର୍

ମୁମ୍ବାଇ: ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରିଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣା । ପ୍ରାଥମିକ ତଦନ୍ତ ପରେ ରିପୋର୍ଟ ଦେଇଛି ପୋଲିସ । ଓଭରସ୍ପିଡ, ଭୂଲ ସାଇଡରେ ଓଭରଟେକ୍ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସାଇରସଙ୍କ କାର୍ । ଆଗରେ ଯାଉଥିବା ଏକ ଗାଡ଼ିକୁ ଓଭରଟେକ କରୁଥିବା ବେଳେ ଡିଭାଇଡରରେ ପିଟି ହୋଇଥିଲା ମର୍ସିଡିଜ । ସାଇରସ୍ ଓ ତାଙ୍କ ପଛ ସିଟରେ ବସିଥିବା ବନ୍ଧୁ ଦିନଶା ପଣ୍ଡୋଲେ ସିଟବେଲ୍ଟ ପିନ୍ଧି ନଥିଲେ । ଯାହାଫଳରେ ସେହି ଦୁଇ ସିଟର ଏୟାର ବ୍ୟାଗ୍ ଖୋଲି ନଥିଲା ବୋଲି ପ୍ରାଥିମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି ।

ପୋଲିସର କହିବା କଥା ଯେ, ଅଧିକ ଗତି ଏବଂ ଡ୍ରାଇଭରଙ୍କ ଦ୍ୱାରା କାର୍ ଉପରେ ନିୟନ୍ତ୍ରଣ ହରାଇବା ଫଳରେ ଏହି ଦୁର୍ଘଟଣା ହୋଇଛି । ସାଇରସ୍ ମିସ୍ତ୍ରୀ ଏବଂ ଜହାଙ୍ଗିର ଦିନଶା ପଣ୍ଡୋଲେଙ୍କ ଶବର ପୋଷ୍ଟମର୍ଟମ ରବିବାର ବିଳମ୍ବିତ ରାତିରେ ହୋଇଛି, ରିପୋର୍ଟ ଆଜି ଅପରାହ୍ନ ସୁଦ୍ଧା ଆସିପାରେ । ଫରେନ୍ସିକ ସାଇନ୍ସ ଲାବୋରେଟୋରୀର ଏକ ଟିମ୍ ଦୁର୍ଘଟଣାଗ୍ରସ୍ତ କାର୍ ଏବଂ ଯେଉଁଠି ଦୁର୍ଘଟଣା ହୋଇଥିଲା, ସେହି ସ୍ଥାନର ତଦନ୍ତ କରିବ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମର୍ସିଡିଜ୍ କାରଟି ଦ୍ରୁତ ଗତିରେ ଚାଲୁଥିଲା, କାରଣ ତାହା ପାଲଘର ଜିଲ୍ଲାରେ ଚରୋଟି ଚେକ ପୋଷ୍ଟକୁ ପାର୍ କରିବା ପରେ ମାତ୍ର ୯ ମିନିଟରେ ୨୦ କିଲୋମିଟର ଦୂରତା ନିର୍ଦ୍ଧାରିତ କରିଥିଲା ।

ଏହି ଚେକ୍ ପୋଷ୍ଟ ମୁମ୍ବାଇଠାରୁ ୧୨୦ କିମି ଦୂର ଅଟେ । କାରଟି ସୂର୍ଯ୍ୟା ନଦୀର ପୋଲ ଉପରେ ଡିଭାଇଡର ସହ ଧକ୍କା ହୋଇଥିଲା, ଏଥିରେ ସାଇରସ୍ ମିସ୍ତ୍ରୀ ଏବଂ ଜହାଙ୍ଗୀର ପଣ୍ଡୋଲେଙ୍କ ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇଯାଇଥିଲା । କାର ଡା. ଅନାହିତା ପଣ୍ଡୋଲେ ଚଲାଉଥିଲେ, ଯିଏ କି ମୁମ୍ବାଇରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଅଟନ୍ତି । ଦୁର୍ଘଟଣାରେ ସେ ଏବଂ ତାଙ୍କ ସ୍ୱାମୀ ଡେରିୟସ୍ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଉଭୟଙ୍କ ଚିକିତ୍ସା ଚାଲିଛି ।

ସାଇରସ୍ ମିସ୍ତ୍ରୀ ଏବଂ ଜହାଙ୍ଗୀର ପଣ୍ଡୋଲେ କାରର ବ୍ୟାକ ସିଟରେ ବସିଥିଲେ । ପୋଲିସ କହିଛି ଯେ, ଅନାହିତା ଗାଡ଼ି ଚଲାଉଥିଲେ ଏବଂ ତାଙ୍କ ସ୍ୱାମୀ ଫ୍ରଣ୍ଟ ସିଟରେ ତାଙ୍କ ପାଖକୁ ବସିଥିଲେ । ଦୁର୍ଘଟଣା ସ୍ଥଳରେ ଉପସ୍ଥିତ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ମହିଳା କାର ଚଲାଉଥିଲେ । ସେ ବାମପଟୁ ଅନ୍ୟ ଏକ ଗାଡିକୁ ଓଭରଟେକ୍ କରିବାକୁ ପ୍ରୟାସ କରିଥିଲେ, କିନ୍ତୁ ଗାଡି ଉପରେ ନିୟନ୍ତ୍ରଣ ହରାଇଥିଲେ ଏବଂ କାର ଡିଭାଇଡର ସହ ଧକ୍କା ହୋଇଥିଲା ।