ଆଜି ପଞ୍ଚଭୂତରେ ଲୀନ ହେବେ ସାଇରସ ମିସ୍ତ୍ରୀ, ଓ୍ୱର୍ଲି ଶ୍ମଶାନରେ ହେବ ଶେଷକୃତ୍ୟ

ମୁମ୍ବାଇ: ଆଜି ବିଜନେସ୍ ଟାଇକୁନ ତଥା ଟାଟା ସନସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ହେବ ଶେଷକୃତ୍ୟ । ପୂର୍ବାହ୍ନ ୧୦ଟାରେ ମୁମ୍ବାଇର ଓ୍ୱର୍ଲି ଶ୍ମଶାନରେ ପଞ୍ଚଭୂତରେ ଲୀନ ହେବେ ଶିଳ୍ପ ଜଗତର କିମ୍ବଦନ୍ତୀ ସାଇରସ୍ । ଗତ ରବିବାର ଗୁଜରାଟର ଉଦଓ୍ୱାଦାରୁ ମର୍ସିଡିଜି ଜିଏଲସି ଏସୟୁଭିରେ ମୁମ୍ବାଇ ଯାଉଥିବା ବେଳେ ସୂର୍ଯ୍ୟ ନଦୀ ପାର୍ ହେବା ପରେ ଘଟିଥିଲା ଦୁର୍ଘଟଣା । କାର ଡିଭାଇଡରରେ ପିଟି ହେବା ଯୋଗୁ ପଛରେ ବସିଥିବା ସାଇରସ ଓ ଜାହାଙ୍ଗିର ପାଣ୍ଡୋଲଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଭାଗ୍ୟର କଥା ଦୁହେଁ ସିଟ୍ ବେଲ୍ଟ ବାନ୍ଧି ନଥିବାରୁ ସେମାନଙ୍କ ମୃତ୍ୟୁ ଘଟିଥିଲା ।

ସାଇରସଙ୍କ ମୃତ୍ୟୁ ୧୫୭ ବର୍ଷ ପୁରାତନ ଓ ୩୦ ବିଲିୟନ ଡଲାର ସାପୋରଜି ପାଲୋନଜି ଗ୍ରୁପ ଲାଗି ଆଣିଦେଇଛି ଅପୂରଣୀୟ କ୍ଷତି । ସାଇରସଙ୍କ ପତ୍ନୀ ରୋହିକା, ପୁତ୍ର ଫିରୋଜ, ଜାହାନ, ମା ପାତସି, ଭଉଣୀ ଲୈଲା ରୁସ୍ତମ ଜାହାଙ୍ଗିର ଓ ଭାଇ ସାପୁର ମିସ୍ତ୍ରୀ ରହିଛନ୍ତି ।