ଘଣ୍ଟାପ୍ରତି ୧୫ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ‘ୟାସ୍’, ବୁଧବାର ଭୋରରେ ଛୁଇଁପାରେ ଉପକୂଳ
1 min readଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ୟାସ୍’ । ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ୟାସ୍’ । ଦକ୍ଷିଣ-ଦକ୍ଷିଣପୂର୍ବରେ ପାରାଦୀପ ଠାରୁ ୨୦୦ କିଲୋମିଟର ଦୂରରେ ବାତ୍ୟା ‘ୟାସ୍’ ଥିବାବେଳେ ସମାନ ଦିଗରେ ବାଲେଶ୍ୱର ଠାରୁ ୨୯୦ ଓ ଦୀଘା ଠାରୁ ୨୯୦ ଏବଂ ସାଗରଦ୍ୱୀପ ଠାରୁ ୨୮୦ କିଲୋମିଟର ଦୂରରେ ରହିଛି ।
ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଇଥିବା ‘ୟାସ୍’ ଆଉ କିଛି ସମୟ ପରେ ଅତି ଭୀଷଣ ବାତ୍ୟାର ରୂପ ନେବ । ବାତ୍ୟା ‘ୟାସ୍’ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତରପଶ୍ଚିମ ବଙ୍ଗୋପସାଗରର ଧାମରା ନିକଟରେ ବୁଧବାର ଭୋର୍ ସମୟରେ ପହଞ୍ଚିବ । ବାତ୍ୟା ‘ୟାସ୍’ ୨୬ ମଧ୍ୟାହ୍ନରେ ଉତ୍ତର ଧାମରା ଏବଂ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଅତି ଭୀଷଣ ବାତ୍ୟା ରୂପରେ ଅତିକ୍ରମ କରିବ ।
ଏଥିହ ପଢ଼ନ୍ତୁ- ଆଉ କିଛି ଘଣ୍ଟା ପରେ ଅତି ଭୀଷଣ ବାତ୍ୟାର ରୂପ ନେବ ‘ୟାସ୍’, ଏବେ ପାରାଦୀପ ଠାରୁ ୨୨୦ କିମି ଦୂରରେ
ବାତ୍ୟା ‘ୟାସ୍’ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଜିଠାରୁ ବର୍ଷା ଲାଗି ରହିଛି । ୨୬ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କଟକ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାରେ ଅତ୍ୟଧିକ ପ୍ରବଳ ବର୍ଷା ହେବ । ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୭ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ।
ଏଥିହ ପଢ଼ନ୍ତୁ- ବାତ୍ୟା ପାଇଁ ୭ ଜିଲ୍ଲାରୁ ସ୍ଥାନାନ୍ତରଣ ହେଲେଣି ଦେଢ଼ ଲକ୍ଷରୁ ଅଧିକ ଲୋକ
ଆଜି ସନ୍ଧ୍ୟାରେ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ପବନ ବଢ଼ିବ । ଘଣ୍ଟାପ୍ରତି ପବନର ବେଗ ୧୦୫ରୁ ୧୧୫ କିଲୋମିଟର ରହିବ । ଏହା କ୍ରମଶଃ ୧୨୫ରୁ ୧୩୫ କିଲୋମିଟର ଘଣ୍ଟାପ୍ରତି ବୃଦ୍ଧି ପାଇବା ସହ ଝଟକା ପବନର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର ରହିବା ଆଶଙ୍କା ରହିଛି । ୨୬ ସକାଳେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ଏବଂ ଝଟକା ପବନର ବେଗ ୧୮୦ କିଲୋମିଟର ଘଣ୍ଟାପ୍ରତି ରହିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ସମୁଦ୍ରରେ ୨ରୁ ୪ ମିଟରର ଉଚ୍ଚ ଜୁଆର ଆସିପାରେ ।