ଆଉ ୧୦ ଘଣ୍ଟା ମଧ୍ୟରେ ଧାମରା ନିକଟରେ ସ୍ଥଳଭାଗ ଛୁଇଁପାରେ ‘ୟାସ୍’, ସ୍ଥାନାନ୍ତରଣ ହେଲେଣି ୫ ଲକ୍ଷ ଲୋକ
1 min readଭୁବନେଶ୍ୱର: ଅତି ଭୀଷଣ ରୂପ ଧାରଣ କରି ମାଡ଼ି ଆସୁଛି ‘ୟାସ୍’ । ବିଗତ ବିଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୧୩ କିମି ବେଗରେ ବାତ୍ୟା ‘ୟାସ୍’ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏବେ ‘ୟାସ୍’ ପୂର୍ବ-ଦକ୍ଷିଣପୂର୍ବରେ ପାରାଦୀପ ଠାରୁ ୧୩୦ କିଲୋମିଟର ଦୂରରେ ଥିବାବେଳେ ସମାନ ଦିଗରେ ବାଲେଶ୍ୱର ଠାରୁ ୨୨୦ ଓ ଦୀଘା ଠାରୁ ୨୧୦ ଏବଂ ସାଗରଦ୍ୱୀପ ଠାରୁ ୨୧୦ କିଲୋମିଟର ଦୂରରେ ରହିଛି ।
ବାତ୍ୟାର କେନ୍ଦ୍ରସ୍ଥଳରେ ଏବେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ବେଗରେ ବହୁଥିବା ବେଳେ ଝଟକା ପବନର ଘଣ୍ଟାପ୍ରତି ବେଗ ୧୫୦ କିଲୋମିଟର ରହିଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ବୁଧବାର ଭୋରରେ ଧାମରାର ଉତ୍ତର ଭାଗ ଏବଂ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ପହଞ୍ଚି ମଧ୍ୟାହ୍ନରେ ଅତି ଭୀଷଣ ବାତ୍ୟା ରୂପରେ ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୪୦ରୁ ୧୫୫ କିଲୋମିଟର ବେଗରେ ପବନ ସହ ଝଟକା ପବନର ବେଗ ଘଣ୍ଟାପ୍ରତି ୧୮୫ କିଲୋମିଟର ରହିବ । ଭଦ୍ରକ, ବାଲେଶ୍ୱର ଦେଇ ମୟୂରଭଞ୍ଜ ଆଡ଼କୁ ଯିବ ବାତ୍ୟା ।
ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ଅତ୍ୟଧିକ ପ୍ରବଳ ବର୍ଷା ହେବ । ୧୦ ଘଣ୍ଟା ମଧ୍ୟରେ ବାତ୍ୟା ‘ୟାସ୍’ ସ୍ଥଳଭାଗ ଛୁଇଁବ । ରାଜ୍ୟରେ ମୋଟ ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏବେବି ସ୍ଥାନାନ୍ତରଣ ଜାରି ରହିଛି । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ଏସଆରସି ସୂଚନା ଦେଇଛନ୍ତି ।