ବାତ୍ୟା ମୁକାବିଲା ପ୍ରସ୍ତୁତି: ଫୋକସରେ ଜିରୋ କାଜୁଆଲିଟି

ଭୁବନେଶ୍ବର: ଆସୁଛି ସମ୍ଭାବ୍ୟ ବାତ୍ୟା ‘ଆସାନୀ’ । ଦିନକ ପରେ ଦକ୍ଷିଣ ଆଣ୍ଡାମାନ ସାଗରରେ ପଡ଼ିବ ମୂଳଦୁଆ । ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ହୋଇଛି ବିଏମସି । ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ସ୍ଥିତିର ସମୀକ୍ଷା ସହିତ ସମନ୍ବୟ ବୈଠକ କରିଛନ୍ତି ମେୟର । ସବୁ ବିଭାଗ ମଧ୍ୟରେ ସମନ୍ବୟ ରଖି ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହିତ ଜିରୋ କାଜୁଆଲଟି ଉପରେ ଦିଆଯାଇଛି ଗୁରୁତ୍ବ ।

ବାତ୍ୟା ଆସିଲେ କେମିତି କରାଯିବ ମୁକାବିଲା ? ସମ୍ଭାବ୍ୟ ସାଇକ୍ଲୋନକୁ ନେଇ ସଜାଗ  ବିଏମସି । ଫୋକସରେ ଜିରୋ କାଜୁଆଲଟି । ପୂର୍ବ ଅନୁଭୂତି ଓ ଅଭିଜ୍ଞତା ଆଧାରରେ ନିଆଯିବ ପଦକ୍ଷେପ । ସମ୍ଭାବ୍ୟ ବାତ୍ୟାକୁ ନେଇ ୧୧ଟି ଉପକୂଳବର୍ତ୍ତୀ ଜିଲ୍ଲାକୁ ଜାରି ହୋଇଛି ଆଲର୍ଟ । ଏହା ଭିତରେ ରହିଛି ଖୋର୍ଦ୍ଧା । ଯାହାକୁ ନେଇ ଆଗୁଆ ପ୍ରସ୍ତୁତି କରିଛି ବିଏମସି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ବୈଠକ କରି ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । ରାଜଧାନୀରେ ୩୨ଟି ନାଳ ସମ୍ବେଦନଶୀଳ ଥିବା ବେଳେ ୭୨ଟି ଖାଲୁଆ ଅଞ୍ଚଳ ଚିହ୍ନଟ ହୋଇଛି । ଏହି ଅଞ୍ଚଳଗୁଡିକର ବର୍ଷା ଜଳ ନିଷ୍କାସନକୁ ଗୁରୁତ୍ବ ଦିଆଯାଇଛି । ଫନିରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଭୁବନେଶ୍ବର । ସେ ସମୟର ଅଭିଜ୍ଞତା ଆଧାରରେ ବାତ୍ୟା ମୁକାବିଲା ପାଇଁ ହୋଇଛି ପ୍ରସ୍ତୁତି ।

ଜରୁରୀ ବୈଠକରେ ମେୟର ସୁଲୋଚନା ଦାସ ଅଧ୍ୟକ୍ଷତା କରି ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଫୋକସରେ ରହିଛି ଜିରୋ କାଜୁଆଲଟି । ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବା ସହିତ ପଶୁ ସମ୍ପଦଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି । ୨୪ଘଣ୍ଟିଆ କଣ୍ଟୋଲ ରୁମ୍ ଏବଂ ଗର୍ଭବତୀ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖାଯିବ । ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେଲେ ତୁରନ୍ତ ମରାମତି ପାଇଁ ହୋଇଛି ଆଲୋଚନା । ବାତ୍ୟା ପରବର୍ତ୍ତି ପୁନରୁଦ୍ଧାର କାର୍ଯ୍ୟ ସହିତ ପାନୀୟ ସମସ୍ୟାର ଦୂରିକରଣ ଓ ରିଲିଫ ପ୍ରଦାନକୁ ଗୁରୁତ୍ବ ଦିଆଯିବ । ସବୁ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ସଠିକ୍ ପରିଚାଳନା ଉପରେ ଫୋକସ କରିଛନ୍ତି ମେୟର ।

ସମ୍ଭାବ୍ୟ ବାତ୍ୟକୁ ଆହୁରି ସପ୍ତାହେରୁ ଅଧିକ ଦିନ ବାକି ରହିଛି । ତେବେ ଏବେଠାରୁ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି ।