ସ୍ଥଳଭାଗ ମୁହାଁ ବାତ୍ୟା ‘ନିଭାର’,ଜାଣନ୍ତୁ ଓଡ଼ିଶାରେ କଣ ରହିବ ପ୍ରଭାବ

1 min read

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ବାତ୍ୟା ନିଭାର । ଏବେ ବାତ୍ୟା ୩୦୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ, ପୁଡୁଚେରୀର ପ୍ରାୟ ୩୧୦ କିଲୋମିଟର ପୂର୍ବ ଏବଂ ଚେନ୍ନାଇର ୩୭୦ କିଲୋମିଟର ଦକ୍ଷିଣ-ପୂର୍ବରେ ରହିଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଅତ୍ୟଧିକ ଭୟଙ୍କର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ଆହୁରି ତୀବ୍ର ହେବାର ସମ୍ଭାବନା ଅଛି । ଏହା ପରବର୍ତ୍ତୀ ୬ ଘଣ୍ଟା ପାଇଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଏବଂ ତା’ପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

୨୫ ନଭେମ୍ବର ରାତିରେ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ପାର ହୋଇ କରାଇକାଲ ଏବଂ ମମଲାଲାପୁରମ୍ ମଧ୍ୟରେ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ ଭାବରେ ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୩୦-୧୪୦ କିଲୋମିଟର ବେଗରେ ଏବଂ ଝଟକା ପବନ ୧୫୫ କିଲୋମିଟର ବେଗରେ ବହିବ ବୋଲି ସୂଚନା ଦେଇଛି ଆଇଏମଡି । ଗତ ୬ ଘଣ୍ଟା ହେବ ବାତ୍ୟା ନିଭାର ଘଣ୍ଟପ୍ରତି ୬ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମୁହାଁଉଛି।

ତେବେ ଲ୍ୟାଣ୍ଡଫଲ୍ ପୂର୍ବରୁ ଅଶାନ୍ତ ହୋଇପଡିଛି ତାମିଲନାଡୁ ଉପକୂଳ। ଲଗାଣ ବର୍ଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଦେଖିବାକୁ ମିଳୁଛି। ଗତକାଲିଠୁ ଚେନ୍ନାଇରେ ବର୍ଷା ଆରମ୍ଭ ହୋଇସାରିଛି। ପ୍ରଭାବିତ ହେବାକୁ ଥିବା ରାଜ୍ୟ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର ସରକାର। ଏନଡିଆରଏଫ ଟିମ୍ ସମ୍ପୂର୍ଣ୍ଣ ଭାବେ ତୟାର ଥିବା କହିଛନ୍ତି ଡିଜି ଏସ ପ୍ରଧାନ । ତଳି ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ସେହିପରି ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁରରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Leave a Reply