ଦାନା ବାନ୍ଧୁଛି ବାତ୍ଯା, ୨୩ରୁ ୨୫ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷିବ !

ଭୁବନେଶ୍ବର : ଦାନା ବାନ୍ଧୁଛି ବାତ୍ଯା ଦାନା । ଉତ୍ତର କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ  ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ ରୂପ ନେବ । ଏହା ଆହୁରି ଘନୀଭୂତ ହୋଇ କାଲି ସକାଳ ବେଳକୁ ଏକ ଅବପାତ ଏବଂ ୨୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଏକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ପରେ ଆହୁରି ଘନୀଭୁତ ହୋଇ ଏକ ଭୀଷଣ ବାତ୍ୟାର ପରିଣତ ହେବ । ୨୪ ତାରିଖରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ । ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ, ସେ ନେଇ ଏ ପର୍ଯ୍ୟନ୍ତ ସଠିକ୍ ଆକଳନ କରାଯାଇ ନ ଥିଲେ ମଧ୍ୟ ଓଡ଼ିଶା ଉପକୂଳକୁ ବିପଦ ରହିଥିବାରୁ ଭାରତୀୟ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ୨୩ ତାରିଖ ସନ୍ଧ୍ୟାଠାରୁ ଉପକୂଳ ଓଡ଼ିଶାର ପାଗରେ ପରିବର୍ତ୍ତନ ଆସିବ। ୨୪ ତାରିଖ ବେଳକୁ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । କେନ୍ଦ୍ରାପଡା, କଟକ, ନୟାଗଡ, କନ୍ଧମାଳ ଏବଂ ଗଜପତି ଜିଲ୍ଲାରେ ବି ତାଣ୍ଡବ ରଚିପାରେ ବର୍ଷା । ବଡ଼ ବଡ଼ ଗଛ  ଭାଙ୍ଗିବାର, ବିଦ୍ୟୁତ ଖୁଣ୍ଟ ଉପୁଡ଼ିବାର ସମ୍ଭାବନା ରହିଛି। ବନ୍ଦର ଓ ଜାହାଜ ଚଳାଚଳ ନେଇ ମଧ୍ୟ  ସତର୍କତା ଜାରି କରାଯାଇଛି। ବର୍ଷା ପବନରେ କ୍ଷତିଗ୍ରସ୍ତ ହୋଇପାରେ ପାଚିଲା ଧାନ। ସମୁଦ୍ରରେ ବଡ଼ ବଡ଼ ଜୁଆର ଆସିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି।