ଭୀଷଣ ରୂପନେଇ ବାଂଲାଦେଶ ଓ ମିଆଁମାର ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ମୋକା’

ନନ୍ଦିଘୋଷ ବ୍ୟୁରୋ: ଲ୍ୟାଣ୍ଡଫଲ୍ କରିଛି ଅତି ଭୀଷଣ ବାତ୍ୟା ମୋକା । ବାଂଲାଦେଶର କକ୍ସବଜାର ଓ ଉତ୍ତର ମିଆଁମାର ଉପକୂଳ ମଧ୍ୟରେ ଭୀଷଣ ରୂପ ନେଇ ସ୍ଥଳଭାଗ ଛୁଇଁଛି ମୋକା । ପ୍ରଭାବରେ ବାଂଲାଦେଶ, ମିଆଁମାର ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାକୁ ୨ଶହ କିଲୋମିଟର ବେଗରେ ପବନ ବହୁଛି । ବାଂଲାଦେଶର କକ୍ସବଜାର, ଚଟ୍ଟଗ୍ରାମ ଓ ପାୟରା ବନ୍ଦରରେ ଆଲର୍ଟ ଜାରି କରାଯାଇଛି। ଗତ ଦୁଇ ଦଶନ୍ଧି ଭିତରେ ମୋକା ସବୁଠୁ ଶକ୍ତିଶାଳୀ ବାତ୍ୟା ଭାବେ ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି। ଭାସନ ଚାର ଉପକୂଳରେ ୫୫ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇଥିବା ବେଳେ ୩୦ ହଜାର ରୋହିଂଗ୍ୟା ଶରଣାର୍ଥୀଙ୍କୁ ସ୍ଥାନାନ୍ତର କରାଯାଇଛି ।
ଦକ୍ଷିଣ ପୂର୍ବାଞ୍ଚଳରେ ପ୍ରାୟ ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଛି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ସ୍ଥିତି ସମୀକ୍ଷା କରିବା ସହ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । କକ୍ସ ବଜାର ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବା ଆଶଙ୍କା ଥିବାରୁ ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଇଠି। ସେଠାରେ ୧୦ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । କକ୍ସ ବଜାର ଅଞ୍ଚଳରେ ପ୍ରାୟ ୧୦ ଲକ୍ଷ ରୋହିଂଗ୍ୟା ଶରଣାର୍ଥୀ ରହୁଥିବାରୁ ସେଠାରେ ସ୍ଥିତି ଅଧିକ ବିପର୍ଯ୍ୟସ୍ତ ହେବା ଆଶଙ୍କା କରାଯାଉଛି । ୮ ହଜାର ୬୦୦ ରେଡ କ୍ରିସେଣ୍ଟ ସ୍ବେଚ୍ଛାସେବୀ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଥିବାବେଳେ ଅନ୍ୟାନ୍ୟ ବାହିନୀକୁ ମୁତୟନ କରାଯାଇଛି । ବାତ୍ୟା ଯୋଗୁ ୮ ରୁ ୧୨ ଫୁଟର ଜୁଆର ଆସିବା ଆଶଙ୍କା କରାଯାଉଛି ।