ଆନ୍ଧ୍ରପ୍ରଦେଶର ୮ ଜିଲ୍ଲାରେ ବାତ୍ୟା ବିଭୀଷିକା, ଆଜି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ମିଗଜୋମ୍

1 min read

ଅମରାବତୀ : ବାତ୍ୟା ମିଗଜୋମର ତାଣ୍ଡବରେ ଆନ୍ଧ୍ରପ୍ରଦେଶ ଓ ଚେନ୍ନାଇ ବେହାଲ । ଆନ୍ଧ୍ରପ୍ରଦେଶର ୮ ଜିଲ୍ଲାରେ ବାତ୍ୟା ବିଭୀଷିକା ଦେଖିବାକୁ ମିଳିଛି । ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଥିବାବେଳେ ଘର ଉଡ଼ିଯାଇଛି । ହଜାର ହଜାର ଇଲେକ୍ଟ୍ରିଖୁଣ୍ଟ ଉପୁଡ଼ି ପଡ଼ିଛି । ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଉଥିବା ବେଳେ, ଏବେ ବି ପ୍ରବଳ ବର୍ଷା ଲାଗି ରହିଛି ।

ରେସ୍କ୍ୟୁ ଓ ରିଲିଫ୍ ପାଇଁ କେନ୍ଦ୍ରକୁ ୫ ହଜାର କୋଟି ମାଗିଛନ୍ତି ତାମିଲନାଡୁ ସରକାର । ବର୍ତ୍ତମାନ ବାତ୍ୟାଟି ପୂର୍ବ-ଉତ୍ତର-ପୂର୍ବ ଦିଗରେ ଗତି କରୁଛି । ଆଜି ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଏପଟେ ବାତ୍ୟା ପ୍ରଭାବରେ ଓଡ଼ିଶାରେ ବର୍ଷା ହେଉଛି । ଆଜି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଏବଂ ନୟାଗଡରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ସମ୍ଭାବ୍ୟ ସ୍ଥିତିକୁ ନଜରରେ ରଖି ଆଜି ଗଜପତି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ଆଜି ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଏସଆରସିଙ୍କ ସୂଚନା ଅନୁସାରେ ଗତକାଲି କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିଲା । ନାରାୟଣ ପାଟଣା ଓ ପଟାଙ୍ଗି ଅଞ୍ଚଳରେ ସର୍ବାଧିକ ୨୫ ମିଲିମିଟର ବର୍ଷା ହୋଇଥିଲା । ଆଜିପରେ ପାଗ ବଦଳିବା ସହ ଫସଲ କ୍ଷୟକ୍ଷତିର ଆକଳନ କରାଯିବା ସହ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ।