ଆନ୍ଧ୍ର ପ୍ରଦେଶର ଏକାଧିକ ଜିଲ୍ଲାରେ ମିଗଜୋମର ତାଣ୍ଡବ, ଉପୁଡିଲା ଗଛ ଭାଙ୍ଗିଲା ଘର

ଅମରାବତୀ: ସାମୁଦ୍ରିକ ବାତ୍ୟା ମିଗଜୋମର ତାଣ୍ଡବ। ଆନ୍ଧ୍ର ପ୍ରଦେଶର ଏକାଧିକ ଜିଲ୍ଲାରେ ଦେଖିବାକୁ ମିଳିଛି ବାତ୍ୟାର ବିଭୀଷିକା । ଚାରିଆଡେ ଜଳ ପ୍ରଳୟ । ଉପୁଡିଲା ଗଛ, ଭାଂଗିଲା ଘର । ଆନ୍ଧ୍ରପ୍ରଦେଶର ବାପଟଲାରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ମିଗଜୋମ । ଲ୍ୟାଣ୍ଡଫଲ ସମୟରେ ଘଣ୍ଟାପ୍ରତି ୯୦ରୁ ଶହେ କିଲୋମିଟର ବେଗରେ ବହିଥିଲା ପବନ ।୩ ଘଣ୍ଟା ଧରି ରଚିଲା ତାଣ୍ଡବ । ପବନ ଠୁ ବଳିଗଲା ପ୍ରବଳରୁ ଅତି ପ୍ରବଳ ବର୍ଷା । ଠପ୍ ହୋଇଗଲା ଜନଜୀବନ । ଆଇଏମ୍ଡି ପୂର୍ବାନୁମାନ ଲ୍ୟାଣ୍ଡଫଲର ଦୁଇ ଦିନ ଯାଏଁ ପ୍ରବଳ ବର୍ଷିବ । ବାତ୍ୟାକୁ ନେଇ ଆନ୍ଧ୍ରପ୍ରଦେଶର ୮ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ତିରୁପତି, ନେଲୋର, ପ୍ରକାଶମ, ବାପଟଲା. କ୍ରିଷ୍ଣା, ୱେଷ୍ଟ ଗୋଦାବରୀ, କୋନାସିମା ଏବଂ କାକିନାଡା ଜିଲ୍ଲାରେ ସତର୍କତା ଜାରି କରାଯାଇଛି । ଉପକୂଳ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି ।

ଆନ୍ଧ୍ରପ୍ରଦେଶରେ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡି । ପୂର୍ବରୁ ବାତ୍ୟା ମାଡରେ ଚେନ୍ନାଇରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ରେସ୍କ୍ୟୁ ଓ ରିଲିଫ୍ ପାଇଁ କେନ୍ଦ୍ରକୁ ୫ ହଜାର କୋଟି ମାଗିଛନ୍ତି ତାମିଲନାଡୁ ସରକାର । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାମ ।

ସେପଟେ ବାତ୍ୟା ମିଗଜୋମ୍ର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି । ଆଜି ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କାଲି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଏବଂ ନୟାଗଡରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବାତ୍ୟାଟି ଉତ୍ତର ଆନ୍ଧ୍ରପ୍ରଦେଶ ନିକଟତର ହେବା ପରେ ଓଡ଼ିଶାରେ ଅଧିକ ପ୍ରଭାବ ପଡିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏଥିପାଇଁ ଚାଷି ମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ସେପଟେ ବାତ୍ୟା ପରବର୍ତ୍ତୀ ପ୍ରଭାବ ଓଡ଼ିଶାରେ ଅଧିକ ରହିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ପରେ ରାଜ୍ୟ ସରକାର ସଜାଗ ରହିଛନ୍ତି।

ବାତ୍ୟାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାରେ ଆସନ୍ତାକାଲି ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ୬ତାରିଖ ଯାଏଁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।