ସମୁଦ୍ରରେ ଶକ୍ତି ହରାଉଛି ‘ଜୱାଦ’, ଆଜି ଓ କାଲି ଉପକୂଳରେ ଲାଗି ରହିବ ବର୍ଷା

Cyclone Jawad Weakened In Sea, More Rain In Coastal Odisha

ଭୁବନେଶ୍ୱର: ସ୍ଥଳଭାଗ ଛୁଇଁବା ପୂର୍ବରୁ ସମୁଦ୍ରରେ ଶକ୍ତି ହରାଉଛି ‘ଜୱାଦ’ । ଆସନ୍ତାକାଲି ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇ ଗଭୀର ଅବପାତ ରୂପରେ ପୁରୀ ଉପକୂଳ ପହଞ୍ଚିବ । ବର୍ଷା ଉପକୂଳ ଓଡ଼ିଶାରେ ଲାଗି ରହିବ । ଧିରେ ଧିରେ ଉତ୍ତର ଓଡ଼ିଶାରେ ମଧ୍ୟ ବର୍ଷା ହେବ । ୬ ତାରିଖରେ କିଛି ସ୍ଥାନରେ ବର୍ଷାକୁ ଛାଡ଼ି ଦେଲେ ପାଗ ଶୁଖିଲା ରହିବ । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏ ସୂଚନା ଦେଇଛନ୍ତି ।

ତେବେ ବାତ୍ୟା କାହିଁକି ଦୁର୍ବଳ ହେଲା ? ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉମାଶଙ୍କର । ସାଧାରଣତଃ ଡିସେମ୍ବରରେ ସମୁଦ୍ର ପୃଷ୍ଠର ତାପମାତ୍ରା ଉପକୂଳ ଅଞ୍ଚଳରେ କମ୍ ରହିଥାଏ । ବାୟୁ ମଣ୍ଡଳର ଉପରି ଭାଗରେ ବାୟୁ ପ୍ରଭାବର ତୀବ୍ରତା (ଅପସାରଣ) ବାତ୍ୟାକୁ ଶକ୍ତିଶାଳୀ କରୁଥିଲା । ବାତ୍ୟା ଉପକୂଳ ମୁହାଁ ହେବା ସହ କମ୍ ତାପମାତ୍ରା ଏବଂ ପୃଷ୍ଠରୁ ଗଭୀରତା ମଧ୍ୟରେ ଥିବା ଥର୍ମାଲ ଏନର୍ଜି କମିବାରୁ ବାତ୍ୟା ଧିରେ ଧିରେ ଦୁର୍ବଳ ହେଉଛି ।

ଏଥିସହ ପଢ଼ନ୍ତୁ: ବାତ୍ୟା ନୁହେଁ ଗଭୀର ଅବପାତ ରୂପରେ ପୁରୀ ଉପକୂଳ ଛୁଇଁବ ‘ଜୱାଦ’

ବାତ୍ୟା ପୁରୀ ପହଞ୍ଚିବା ବେଳକୁ ଦୁର୍ବଳ ହୋଇଯିବ । ଆଜି ରାତି ୧୧ଟା ୩୦ ସୁଦ୍ଧା ବାତ୍ୟା ଗଭୀର ଅବପାତରେ ପରିଣତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ଓ ଝଟକା ପବନର ବେଗ ଘଣ୍ଟାପ୍ରତି ୭୫ କିଲୋମିଟର ରହିବ । ପୁରୀ ପହଞ୍ଚିଲା ବେଳକୁ ପବନର ବେଗ ୫୦ରୁ ୬୦ କିଲୋମିଟର ଓ ଝଟକା ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ରହିବ । ପବନ ମୁଖ୍ୟତଃ ଉପକୂଳରେ ହେବ ଆଭ୍ୟନ୍ତରୀଣ ଅଞ୍ଚଳରେ ପବନ ପ୍ରଭାବ ନାହିଁ ।

ବାତ୍ୟା ବିପଦ ଟଳିଥିବା ବେଳେ ବର୍ଷା କମିବ ନାହିଁ । ଗଞ୍ଜାମ, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗି ରହିବ । ଚାଷ ପ୍ରତି ଏବେ ବି ବର୍ଷା ବିପଦ ରହିଛି । ଅନ୍ୟପଟେ ୧୮୯୧ରୁ ୨୦୨୦ ମଧ୍ୟରେ ଡିସେମ୍ବର ମାସରେ ଏଯାଏଁ ବଙ୍ଗୋପସାଗରରୁ କୌଣସି ବାତ୍ୟା ଓଡ଼ିଶା ଉପକୂଳ ଛୁଇଁ ନଥିବା ବେଳେ ଉକ୍ତ ରେକର୍ଡ ବଜାୟ ରହିବାକୁ ଯାଉଛି ।  ଅମାବାସ୍ୟା ପାଇଁ ସମୁଦ୍ରରେ ଉଚ୍ଚ ଜୁଆର ଆସିବ, ବାତ୍ୟାର ପ୍ରଭାବ ରହିବ ନାହିଁ ।

Leave a Reply