ଘଣ୍ଟାପ୍ରତି ୬ କିମି ବେଗରେ ମାଡ଼ି ଆସୁଛି ବାତ୍ୟା, ପୁରୀ ଠାରୁ ୪୩୦ କିମି ଦୂରରେ ‘ଜୱାଦ’

1 min read
Cyclone Jawad Now 430 KMs Away From Puri

ଭୁବନେଶ୍ୱର: ସମୁଦ୍ରରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ସାମୁଦ୍ରିକ ଝଡ଼ ‘ଜୱାଦ’ । କେନ୍ଦ୍ରୀୟପଶ୍ଚିମ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ଏବେ ବାତ୍ୟା ‘ଜୱାଦ’ ବିଶାଖାପାଟ୍ଟଣମ ଠାରୁ ଦକ୍ଷିଣପୂର୍ବରେ ୨୫୦ କିଲୋମିଟର ଦୂରରେ ରହିଛି । ଗୋପାଳପୁର ଠାରୁ ଦକ୍ଷିଣରେ ୩୬୦ କିଲୋମିଟର, ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୪୩୦ କିଲୋମିଟର ଓ ପାରାଦୀପ ଠାରୁ ସମାନ ଦିଗରେ ୫୧୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ଜୱାଦ’ ।

ଏହା କେନ୍ଦ୍ରୀୟପଶ୍ଚିମ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ପୂର୍ବାହ୍ନରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବ । ତା’ପରେ ରିକର୍ଭ କରି ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରି ୫ ତାରିଖ ଅର୍ଥାତ୍ ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ପହଞ୍ଚି ବାତ୍ୟା ଧିରେ ଧିରେ ଦୁର୍ବଳ ହେବ । ଏହା କ୍ରମଶଃ ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳକୁ ଯାଇ ଦୁର୍ବଳ ହୋଇଯିବ ।

Cyclone Jawad Now 430 KMs Away From Puri

ବାତ୍ୟା ପାଇଁ ଆଜି ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । ଏହି ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ୨୦ ସେଣ୍ଟିମଟରରୁ ଅଧିକ ବର୍ଷା ହେବ । ସେହିଭଳି ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ବର୍ଷା ନେଇ ରହିଛି ୟେଲୋ ୱାର୍ଣ୍ଣିଂ ।

ସେହିଭଳି ୫ ତାରିଖ ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ ଓ ପୁରୀ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ରହିଛି । କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବାତ୍ୟା ପାଇଁ ୪ ତାରିଖ ଅପରାହ୍ଣ ଯାଏଁ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୬୫ କିଲୋମିଟର ରହିବ । କ୍ରମଶଃ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ଓ ଝଟକା ପବନର ଘଣ୍ଟପ୍ରତି ବେଗ ୮୫ କିଲୋମିଟରକୁ ବୃଦ୍ଧି ପାଇବ ।

Cyclone Jawad Now 430 KMs Away From Puri

ସମୁଦ୍ର ଅଶାନ୍ତ ରହିବ, ଉଚ୍ଚ ଜୁଆର ଆସିବ । ମତ୍ସ୍ୟଜୀବୀଙ୍କୁ ୫ ତାରିଖ ଯାଏଁ ସମୁଦ୍ର ବାରଣ କରାଯାଇଛି । ଆଜି ଅମାବାସ୍ୟା ଥିବାରୁ ସମୁଦ୍ରରେ ୨ରୁ ୪ ମିଟର ଯାଏଁ ଇଚ୍ଚ ଜୁଆର ଆସିବା ଆଶଙ୍କା କରାଯାଉଛି । ଗୋପାଳପୁର ବନ୍ଦର ଓ ପୁରୀ ଉପକୂଳ ପାଇଁ ୭ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ଧାମରା ଓ ପାରାଦୀପ ବନ୍ଦରରେ ସ୍ଥାନୀୟ ସତର୍କ ନମ୍ବର ୪ ଦିଆଯାଇଛି । ବାତ୍ୟା ପାଇଁ ଆଜି ୧୯ ଜିଲ୍ଲାରେ ସ୍କୁଲ୍ ବନ୍ଦ ଘୋଷଣା କରାଯାଇଛି ।

Leave a Reply