ଓଡ଼ିଶାରେ ବର୍ଷାର ତାଣ୍ଡବ ରଚିବା ପରେ ପଶ୍ଚିମବଙ୍ଗ ମୁହାଁ ‘ଜଓ୍ବାଦ’

1 min read

ଭୁବନେଶ୍ବର: ସମୁଦ୍ରରେ ଦୁର୍ବଳ ହେଲା ବାତ୍ୟା ‘ଜଓ୍ବାଦ’ । ପୁରୀ ଉପକୂଳ ଛୁଇଁଲାନି । ସମୁଦ୍ର ସମୁଦ୍ରରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଗତି କରୁଛି । ବାତ୍ୟାର ପ୍ରଭାବ ନଥିଲେ ମଧ୍ୟ ଉପକୂଳରେ ବର୍ଷା ଲାଗି ରହିଛି । ପବନର ବେଗ ଘଣ୍ଟାକୁ ସର୍ବାଧିକ ୬୦ କିମି ଯାଏଁ ରହିପାରେ । ଉତ୍ତର ଓଡ଼ିଶାରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା  ସମ୍ଭାବନା ରହିଛି । ସାରା ରାଜ୍ୟରେ ବର୍ଷା ହେଉଥିବା ବେଳେ ଗଞ୍ଜାମରେ ସର୍ବାଧିକ ବର୍ଷିଛି । ତେବେ ଆସନ୍ତାକାଲିଠାରୁ ପାଗ ଶୁଖିଲା ରହିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

‘ଜଓ୍ବାଦ’କୁ ନେଇ ଯେତେ ଆଶଙ୍କା କରାଯାଉଥିଲା ତାହା ସେମିତି ରୂପ ନେଲାଣି । ସମୁଦ୍ର ମଧ୍ୟରେ ବାତ୍ୟାରୁ ଅବପାତରେ ପରିଣତ ହେବା ସହ ବଳ ହରାଇଲା । ପବନ ସିନା କମିଗଲା, ହେଲେ ବାତ୍ୟା ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଉତ୍ତରରୁ ଦକ୍ଷିଣ ଉପକୂଳ, ସବୁଠି କାଚିଲା । ବିଲରେ ଲହଡ଼ି ମାରୁଛି ପାଣି ।

ଅବପାତର ରୂପ ନେବା ପରେ ପୁରୀ ଅତିକ୍ରମ କରିଛି ଜଓ୍ବାଦ୍ । ଉତ୍ତର ଦିଗରୁ ରିକର୍ଭ କରି ଉତ୍ତର, ଉତ୍ତର-ପୂର୍ବ ଦିଗରେ ଗତି କରୁଛି । ଆଜି ମଧ୍ୟରାତ୍ରରେ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହୋଇ ଦୁର୍ବଳ ହେବ । ଫଳରେ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି । କାଲି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ୯ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଞ୍ଜକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗଞ୍ଜାମ, ନୟାଗଡ, କେନ୍ଦୁଝର, ଅନୁଗୁଳ ଏବଂ ଢେଙ୍କାନାଳକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ସହ ଉପକୂଳବର୍ତ୍ତୀ ଜିଲ୍ଲାରେ ଘଣ୍ଟାକୁ ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବ । ପବନର ଝଟ୍‌କା ୬୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ସେପଟେ ଦେଖିଲେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ନୟାଗଡ଼ରେ ୧୦୭.୫ ମିମି, ଛତ୍ରପୁରରେ ୮୬.୬, ଖୋର୍ଦ୍ଧା ବାଣପୁରରେ ୮୧, ପୋଲସରାରେ ୭୧.୮, କୋଦଳାରେ ୬୮, ଏରସମାରେ ୬୮ ଓ ରାଜନଗରରେ ୬୫ ମିମି ବର୍ଷା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ବାତ୍ୟାର ପ୍ରଭାବ କମି ନଥିବାରୁ ସବୁ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇ ଥିବା ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର. ବିଶ୍ବାସ କହିଛନ୍ତି ।

ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିବ । ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେବେ ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବ । ବର୍ଷା ପ୍ରଭାବରେ ପାଗ କୋହଲା ରହିବା ସହ ଶୀତ ଅନୁଭୂତ ହେବ ।

Leave a Reply