ଅତି ଭୀଷଣ ବାତ୍ୟାର ରୂପ ନେଲା ବାତ୍ୟା ହାମୁନ

1 min read

ଭୁବନେଶ୍ବର: ଅତି ଭୀଷଣ ବାତ୍ୟାର ରୂପ ନେଲା ବାତ୍ୟା ହାମୁନ । ବର୍ତ୍ତମାନ ପୂର୍ବ-ଉତ୍ତର-ପୂର୍ବ ଦିଗରେ ଗତି କରୁଛି ହାମୁନ । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୨୩ କିଲୋମିଟର ବେଗରେ ଗତି କରୁଛି ଅତି ଭୀଷଣ ବାତ୍ୟା । ପାରାଦୀପ ଠାରୁ ୩୩୦ କିଲୋମିଟର ଦୂର ପୂର୍ବ ଦିଗରେ କେନ୍ଦ୍ରୀଭୁତ ହୋଇଛି ହାମୁନ୍ । ସେହିଭଳି ଦିଘାଠାରୁ ୨୯୦ କିଲୋମିଟର ପୂ୍ର୍ବ-ଦକ୍ଷିଣ ପୂର୍ବ ଦିଗରେ ରହିଛି । ଆସନ୍ତାକାଲି ସୁଦ୍ଧା ଖେପୁପଡ଼ା ଓ ଚିଟ୍ଟାଗଙ୍ଗ ମଧ୍ୟରେ ଗଭୀର  ଅବପାତର ରୂପ ନେଇ ସ୍ଥଳ ଭାଗ ଛୁଇଁବ ।  ସ୍ଥଳଭଳଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୮୦ ରୁ ୯୦ କିଲୋମିଟର ବେଗରେ ବହିବ ପବନ ।

ଝଟକା ପବନ ୧୦୦ କିଲୋମିଟର ପର୍ଯ୍ୟନ୍ତ ବହିପାରେ । ଅତି ଭୀଷଣ ବାତ୍ୟା ପ୍ରଭାବରେ ଆଜି ଉତ୍ତର ଉପକୂଳ ଓଡ଼ିଶାର ସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝରରେ ବର୍ଷା ହେବ । ବାକି ଜିଲ୍ଲାରେ ପାଗ କୋହଲା ରହିବ । ଆସନ୍ତା କାଲି ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ରାୟଗଡା, କୋରାପୁଟ ଏବଂ ମାଲକାନଗିରିରେ ହାଲୁକା ବର୍ଷା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏହାସହ ସମସ୍ତ ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।