ଓଡ଼ିଶାକୁ ବାତ୍ୟା ଭୟ: ସୋମବାର ପରେ ସ୍ପଷ୍ଟ ହେବ ଲ୍ଯାଣ୍ଡଫଲ ଚିତ୍ର… ୨୩ରୁ ୨୬ ଯାଏଁ ନନଷ୍ଟପ ବର୍ଷା

1 min read

ଭୁବନେଶ୍ବର: ସ୍ପଷ୍ଟ ହେଉଛି ବାତ୍ୟା ଚିତ୍ର । ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୨୧ ତାରିଖ ମଧ୍ୟରେ ଏହା ଲଘୁଚାପ ରୂପ ନେବ । ୨୪ରୁ ୨୫ ମଧ୍ୟରେ ବାତ୍ୟା ଆଶଙ୍କା ଦେଖାଦେଇଥିବା ନେଇ ପାଣିପାଗ ବିଭାଗ ଆଶଙ୍କା କରିଛି । ଆନ୍ତର୍ଜାତିକ ପାଣିପାଗ ମଡେଲ ଅନୁସାରେ ବାତ୍ୟାର ପ୍ରଭାବ ଓଡ଼ିଶା ଓ ପଶ୍ଚିମବଙ୍ଗରେ ରହିବ । ତେବେ ବାତ୍ୟାର ତୀବ୍ରତା ଓ ଗତିପଥ ଏଯାଏଁ ସ୍ପଷ୍ଟ ହୋଇନି । ବାତ୍ଯା ନେଇ ଆଇଏମଡି କୌଣସି ସୂଚନା ଦେଇ ନଥିବା ବେଳେ ବର୍ଷା ନେଇ ସତର୍କତା ଜାରି କରିଛି ।

ସମୟ ଯେତିକି ଗଡୁଛି, ବାତ୍ୟା ଆଶଙ୍କା ସେତିକି ବଢୁଛି । ଓଡ଼ିଶାକୁ ବାତ୍ଯା ଭୟ ଭିତରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୨୧ ସୁଦ୍ଧା ନେବ ଲଘୁଚାପ ରୂପ । ୨୩ରେ ଅବପାତ, ୨୨ରୁ ସମୁଦ୍ର ହେବ ଅଶାନ୍ତ । ୨୧ ପରେ ସ୍ପଷ୍ଟ ହେବ ଲ୍ୟାଣ୍ଡଫଲ ଡେଷ୍ଟିନେସନ୍ । ୨୩ ତାରିଖରୁ ୨୬ ଯାଏଁ ନନଷ୍ଟପ ବର୍ଷା । ଜିଏଫ୍ଏସ୍ ମଡେଲ ଅନୁସାରେ ୨୪ରୁ ୨୫ ତାରିଖ ମଧ୍ୟରେ ବାତ୍ୟାଟି ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁପାରେ ।

ସେହିଭଳି ECMWFର ଆକଳନ କହୁଛି ସାମ୍ଭାବ୍ୟ ଲଘୁଚାପଟି ବାଲେଶ୍ବର କିମ୍ବା ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିପାରେ । ଓ୍ବିଣ୍ଡିର ଗ୍ରାଫିକ୍ସ ଅନୁସାରେ ସାମ୍ଭାବ୍ୟ ଲଘୁଚାପ ବାତ୍ୟା ରୂପ ନେଇ ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ତେବେ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବା କଥା ବାତ୍ୟା ହେବାର ସମ୍ଭାବନା ଅଧିକ ରହିଛି । କାରଣ ସମୁଦ୍ରର ତାପମାତ୍ରା ଓ ସ୍ଥଳଭାଗର ତାପମାତ୍ରା ବାତ୍ୟା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛି ।

ଘୂର୍ଣ୍ଣବଳୟ ଲଘୁଚାପର ରୂପ ନେବା ପରେ ୨୩ ତାରିଖ ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହେବ । ପ୍ରଭାବରେ ୨୨ ତାରିଖରୁ ଉପକୂଳ ଓଡ଼ିଶାରେ ଆରମ୍ଭ ହୋଇଯିବ ବର୍ଷା । ୨୩ରୁ ଏହାର ପରିମାଣ ଏବଂ ବିସ୍ତୃତି ବଢି ୨୬ ତାରିଖ ଯାଏଁ ବର୍ଷା ଲାଗି ରହିବ । ଏଥିପାଇଁ ୨୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ଯଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ତେବେ ବାତ୍ୟା ନେଇ ଆଇଏମଡି କୌଣସି ସୂଚନା ଦେଇ ନଥିବା ବେଳେ ସମୁଦ୍ର ଅଶାନ୍ତ ସହ ବର୍ଷା ପବନ ନେଇ ସତର୍କତା ଜାରି କରିଛି ।

ଅକ୍ଟୋବର ମାସ ଓଡ଼ିଶା ପାଇଁ ବାତ୍ୟା ପ୍ରବଣ ମାସ । ମୌସୁମୀ ପ୍ରତ୍ୟାବର୍ତ୍ତନ କରିସାରିଥିବା ବେଳେ ବର୍ତ୍ତମାନ ତାପମାତ୍ରା ଉପର ମୁହାଁ । ସମୁଦ୍ର ପତନର ତାପମାତ୍ରା ୩୨ ଡିଗ୍ରୀ ଉପରେ । ଫଳରେ ବାତ୍ୟାକୁ ବଳ ଗୋଟାଇବା ପାଇଁ ପାଗ ଅନୁକୂଳ ରହିଛି ।