ବାତ୍ୟା ‘ଦାନା’ ଅପଡେଟ୍: ପାରାଦୀପଠାରୁ ୯୦ କି.ମି. ଦୂରରେ, କିଛି ଘଣ୍ଟା ପରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଧିରେ ଧିରେ ସ୍ଥଳପଥ ଆଡ଼କୁ ମାଡି ଆସୁଛି ବାତ୍ୟା ‘ଦାନା’ । ବାତ୍ୟାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ପବନର ବେଗ ବଢ଼ିବାରେ ଲାଗିଛି । ବର୍ତ୍ତମାନ ବାତ୍ୟା ‘ଦାନା’ ପାରାଦୀପଠାରୁ ୯୦ କି.ମି. ଦୂରରେ ରହିଛି । ସେହିପରି ଧାମରାଠୁ ୧୧୦ କି.ମି. ଓ ସାଗର ଦ୍ବୀପଠାରୁ ୨୧୦ କି.ମି. ଦୂରରେ ରହିଛି ବାତ୍ୟା ‘ଦାନା’ । ଘଣ୍ଟାପ୍ରତି ୧୩ କି.ମି. ଦୂରରେ ସ୍ଥଳପଥ ଆଡ଼କୁ ମାଡି ଆସୁଛି । ଆଉ କିଛି ଘଣ୍ଟା ପରେ ଆରମ୍ଭ ହୋଇଯିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଚାନ୍ଦବାଲି ନିକଟରେ କରିବ କରିବ ଲ୍ୟାଣ୍ଡଫଲ୍ ।

ସେପଟେ ପାରାଦୀପ ରାଡାରକୁ ଆସିଛି ବାତ୍ଯାର ଆଖି । ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି. ବେଗରେ ବହିବ ପବନ । ଝଟକା ପବନର ଗତି ରହିବ ୧୨୦ କି.ମି. । ୯ଟି ଜିଲ୍ଲା ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଅନୁଗୁଳ ଓ ଢେଙ୍କାନାଳକୁ ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ୩୦୦ ମି.ମି. ବର୍ଷା ହୋଇପାରେ । ସେହିପରି ପ୍ରବଳରୁ ଅତି ପ୍ରବଳ ବୀର୍ଷା ନେଇ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ବୌଦ୍ଧ ଓ ସୁବର୍ଣ୍ଣପୁରରେ ୨୦୦ ମି.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ । ବାତ୍ୟାଟି ଲ୍ୟାଣ୍ଡଫଲ କରିବା ପରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ଦକ୍ଷିଣ ଓଡ଼ିଶା ମୁହାଁ ହେବ । ୨୬ ତାରିଖ ବେଳକୁ ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ବୌଦ୍ଧ, ନୟାଗଡ଼, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ବର୍ଷା ହେବ । ବାତ୍ୟା ପ୍ରଭାବରେ ଉପକୂଳରେ ସ୍ବାଭାବିକଠାରୁ ୨ ମିଟରରୁ ଅଧିକ ଉଚ୍ଚର ଜୁଆର ଆସିବ । ବର୍ତ୍ତମାନ ପାରାଦୀପ ଓ ଗୋପାଳପୁର ରାଡାରରେ ବାତ୍ୟାର ଗତିପଥକୁ ନିରୀକ୍ଷଣ କରାଯାଉଛି ।