ବାତ୍ୟା ‘ଦାନା’ ଅପଡେଟ: ପରାଦୀପଠାରୁ ୧୮୦ କିମି ଦୂରରେ, ଘଣ୍ଟାପ୍ରତି ୧୩ କିମି ବେଗରେ ମାଡ଼ି ଆସୁଛି

1 min read

ଭୁବନେଶ୍ବର: ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ବଙ୍ଗୋପସାଗରରେ ଦାନା ଗୋଟାଉଛି । ସମୁଦ୍ରରୁ ରୁଦ୍ର ରୂପ ଧାରଣ କରି ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି । ବାତ୍ୟା ‘ଦାନା’କୁ ନେଇ ଆସିଛି ଲାଟେଷ୍ଟ ଅପଡେଟ୍ । ପାରାଦୀପଠାରୁ ୧୮୦ କିମି ଦୂରରେ ରହିଛି ବାତ୍ୟା ଦାନା । ଧାମରାଠାରୁ ୨୧୦ କିମି ଦୂରରେ ରହିଛି । ଲ୍ୟାଣ୍ଡଫଲ କରିବା ବେଳେ ପବନର ବେଗ ରହିବ ୧୦୦ରୁ ୧୧୦ କି.ମି. ।

ବିଶେଷ କରି ବାତ୍ୟାର ପ୍ରଭାବ ବାଲେଶ୍ବର, ଭଦ୍ରକ, ଜଗତସିଂପୁର ଓ କେନ୍ଦ୍ରାପଡ଼ାରେ ଦେଖିବାକୁ ମିଳିବ । ଏହି ସବୁ ଜିଲ୍ଲାରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କି.ମି. ପବନ ବହିବ । ଲ୍ୟାଣ୍ଡଫଲ ସହ ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ଦେଇ ଗତି କରିବ । ଘଣ୍ଟା ପ୍ରତି ୧୩ କି.ମି. ବେଗରେ ଏବେ ସବୁଦ୍ରରେ ଗତି କରୁଛି ବାତ୍ଯା ଦାନା ।

ବାତ୍ୟା ‘ଦାନା’କୁ ନେଇ ସତର୍କତା ଜାରି କରାଯାଇଛି । ବାତ୍ୟାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ । ଉପକୂଳ ଲୋକ ସତର୍କ ରହିବାକୁ ପରାମର୍ଶ । ବାତ୍ୟା ‘ଦାନା’ ଯେତେ ଉପକୂଳ ନିକଟବର୍ତ୍ତି ହେଉଛି ବର୍ଷା ଓ ପବନର ବେଗ ଆଢ଼ିବାରେ ଲାଗିଛି । ଆଜି ରାତି ଓ କାଲି ସକାଳେ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡିବ ବୋଲି କୁହାଯାଇଛି ।

ଆଜି ରାତିରୁ କାଲି ସକାଳ ୯ଟା ପର୍ଯ୍ୟନ୍ତ ଗୁରୁତ୍ବପୂର୍ଣ୍ଣ

ଆଜି ରାତିରୁ କାଲି ସକାଳ ୯ ପର୍ଯ୍ୟନ୍ତ ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି ବାତ୍ୟା ‘ଦାନା’ । ଆଜି ମଧ୍ୟରାତ୍ରିରୁ କାଲି ସକାଳ ଭିତରେ ଲ୍ୟାଣ୍ଡଫଲ୍ ହେବ । ଭୀଷଣ ବାତ୍ୟା ରୂପରେ ଏହା ସମୁଦ୍ର ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉପକୂଳ ପାଖରେ ଜୁଆର ୨ ମିଟର ପର୍ଯ୍ୟନ୍ତ ଆସିବ । ଲ୍ୟାଣ୍ଡଫଲ୍ ପରେ ଏହା ଉତ୍ତର, ଉତ୍ତର ପଶ୍ଚିମ ଦିଗରେ ଗତ କରିବ । ପ୍ରଭାବରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ବୌଦ୍ଧ, ନୟାଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି । ଲ୍ୟାଣ୍ଡଫଲ ପରେ ଦାନା ଦୁର୍ବଳ ହେବ । ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ମଧ୍ୟ ବର୍ଷା ହେବ ବୋଲି କୁହାଯାଇଛି ।