ବାତ୍ୟାକୁ ନେଇ ଜୋରଧରିଛି ରାଜନୀତି; ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ

ଭୁବନେଶ୍ୱର: ଦାନା ବାତ୍ୟା ଦୁର୍ବଳ ହେବା ପରେ ଜୋରଧରିଛି ରାଜନୀତି । ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିଞ୍ଝାରପୁର ଓ ଦଶରଥପୁର ବ୍ଲକର ବିଭିନ୍ନ ଅଂଚଳରେ ଦାନା ବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି ରିଲିଫ ପହଁଚି ନାହିଁ ବୋଲି ଅଭିଯୋଗ କରିଛନ୍ତି ପ୍ରମିଳା। ବାତ୍ୟାରେ ବିଞ୍ଝାରପୁରର ଅନେକ ସ୍ଥାନରେ ଧାନ ଫସଲ ବ୍ୟାପକଭାବେ ନଷ୍ଟ ହୋଇଥିବା ବେଳେ ତଳିଆ ଅଂଚଳର ଅନେକ ଲୋକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ଗୃହପାଳିତ ପଶୁମାନଙ୍କ ପାଖରେ ଏପର୍ଯ୍ୟନ୍ତ କୌଣସି ଖାଦ୍ୟ ପହଁଚିନଥିବା ବେଳେ ଅନେକ ଗଛ ଓ ଘର ମଧ୍ୟ ଭାଙ୍ଗିଯାଇଛି । ତେଣୁ ଏ ସମ୍ପର୍କରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ଯଥାଶୀଘ୍ର ରାଜ୍ୟ ସରକାର ସାତ ଦିନର ଖାଦ୍ୟ ସାମଗ୍ରୀ ସହ କ୍ଷତିଗ୍ରସ୍ତ ହୋଇଥିବା ପରିବାର ଓ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରନ୍ତୁ ବୋଲି ଦାବି କହିଛନ୍ତି ପ୍ରମିଳା ମଲ୍ଲିକ ।

ଅନ୍ୟପଟେ ଦାନା ବାତ୍ୟା ପାଇଁ କେବଳ ସରକାରୀ ଦଳ ନୁହଁ କଂଗ୍ରେସ ଓ ବିଜେଡି ମଧ୍ୟ ଲୋକଙ୍କୁ ସେବା ଯୋଗାଇଛନ୍ତି ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହୀନପତି କହିଛନ୍ତି। ସରକାର ଯେଉଁ ବାହାସ୍ପୋଟ ମାରୁଛନ୍ତି ତାହା ଠିକ୍ ନୁହଁ। ଜଗନ୍ନାଥଙ୍କ କୃପାରୁ ବାତ୍ୟାର ଆଖି ଖୋଲିଲା ନାହିଁ । ତେଣୁ ବିଶେଷ ପ୍ରଭାବ ରହିଲା ନାହିଁ ବୋଲି ତାରା କହିଛନ୍ତି ।

ଅନ୍ୟପଟେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ପୂର୍ବ ସରକାରରେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଘଟିଥିଲା। ସରକାର ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଫଳତାର ସହ କରିଛନ୍ତି । ଏପରିକି ୟୁଏନଓରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି । ହେଲେ କେବେ ବି ନବୀନ ସରକାର ବିଜୟର ଶ୍ରେୟ କହି ନାହିଁ । କିନ୍ତୁ ବିଜେପି ଏହାକୁ ବିଜୟ ପରେ ବାହାସ୍ପଟ ମାରୁଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, କିଛି ସ୍ଥାନରେ ସଦସ୍ୟା ଥିବା ଆମ ଦୃଷ୍ଟିକୁ ଆସିଛି । ସବୁ ସମସ୍ୟାର ସମାଧାନ କରାଯିବ ।