ବାତ୍ୟା ’ଦାନା’ ନାମକରଣ କିଏ କରିଛି ? ‘ଦାନା’ର ଅର୍ଥ କ’ଣ ?

1 min read

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ସହ ୨୩ ତାରିଖରେ ନେବ ବାତ୍ୟାର ରୂପ । ଯାହାର ନାମ ରଖାଯାଇଛି ‘ଦାନା’ । ୨୪ ତାରିଖରେ ଏହା ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବାକୁ ଯାଉଛି । ପୁରୀ ଓ ସାଗରଦୀପ ମଧ୍ୟରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।

ସମୁଦ୍ର ମଧ୍ୟରେ ବଳ ଗୋଟାଇବା ସହ ଭୀଷଣ ରୂପରେ ସ୍ଥଳଭାଗକୁ ମାଡ଼ କରିବ ବୋଲି ପାଣିପାଗ ବିଭାଗ ଆକଳନ କରୁଛି । ସେହି ସମୟରେ ଏହାର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବ ବୋଲି କୁହାଯାଉଛି । ଯାହାକୁ ନେଇ ସାରା ଓଡ଼ିଶାରେ ଏବେ ଲୋକଙ୍କ ମଧ୍ୟରେ ଛନକା ଖେଳିଯାଇଛି । ତେବେ ଦୁଇଦିନ ପରେ ଓଡ଼ିଶା ଉପକୂଳରେ ମାଡ଼ ହେବାକୁ ଯାଉଥିବା ବାତ୍ୟାର ନାଁ କେଉଁଠୁ ଆସିଛି ଓ ଏହାର ଅର୍ଥ କ’ଣ ଜାଣିଛନ୍ତି କି ?

ଆସୁନ୍ତୁ ଜାଣିବା ବାତ୍ୟାର ନାଁ ‘ଦାନା’ କିଏ ଦେଇଛି ଓ ଏହାର ଅର୍ଥ କ’ଣ ?

୨୪ ତାରିଖରେ ସାମ୍ଭାବ୍ୟ ବାତ୍ୟା ଓଡ଼ିଶା ଉକପୂଳରେ ସ୍ଥଳଭାଗକୁ ଛୁଇଁବ । ଯାହାର ନାଁ ରହିଛି ‘ଦାନା’ । ଏହି ବାତ୍ୟାର ନାଁ ‘ଦାନା’ ଦେଇଛି ସାଉଦି ଆରବ । ଯାହା ଉତ୍ତର ଭାରତ ମହାସାଗରରେ WMO ପାଇଁ ବାତ୍ୟାର ନାମ ଦେଉଥିବା ୧୪ ଦେଶଙ୍କ ମଧ୍ୟରେ ଅନ୍ୟତମ । ଆରବିକ ଭାଷାରେ ଯାହାର ଅର୍ଥ ହେଉଛି ‘ସୁନ୍ଦର’ ବା ‘ମୂଲ୍ୟବାନ ମୋତି’ ।

ସୂଚନାଯୋଗ୍ୟ, ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହେଉଥିବା ବାତ୍ୟା ଗୁଡିକର ନାଁ  WMO ଅଧୀନରେ ୧୪ଟି ଦେଶ ଦେଇଥାନ୍ତି । ଭାରତ ସମେତ ବାଂଲାଦେଶ, ଇରାନ, ମାଲଦୀପ, ମିଆଁମାର, ଓମାନ, ପାକିସ୍ତାନ, କତାର, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲାଣ୍ଡ, ୟୁଏଇ ଓ ଓମାନ ବାତ୍ୟାର ନାଁ ଦେଇଥାନ୍ତି ।

ସୂଚନାଯୋଗ୍ୟ, ବାତ୍ୟାର ନାମକରଣ ପୂର୍ବରୁ କରିବାର ବହୁ କାରଣ ରହିଛି । ବାତ୍ୟାର ନାଁ ଏହା ଏପରି ହୋଇଥାଏ, ଯାହା ସେ ଦେଶର ପରମ୍ପରା ଓ ସଂସ୍କୃତିକୁ ପ୍ରତିପାଦିତ କରିଥାଏ । ଅର୍ଥାତ ବାତ୍ୟାର ନାଁରେ ଉକ୍ତ ଦେଶର ସାଂସ୍କୃତିକ ପ୍ରତିବିମ୍ବ ରହିଥାଏ । ଏହାସହ ପୂର୍ବରୁ ନାମକରଣ କରାଯିବା ଦ୍ବାରା ଏହାକୁ ବିଭିନ୍ନ କ୍ଷେତ୍ରରେ ଗୋଟିଏ ନାଁରେ ଟ୍ରାକ୍ କରିବାରେ ସହଜ ହୋଇଥାଏ । ଯାହା ବିଭିନ୍ନ ଦେଶର ପାଣିପାଗ ବିଭାଗମାନଙ୍କୁ ତଥ୍ୟ ଆଦାନା ପ୍ରଦାନରେ ସାହାଯ୍ୟ କରିଥାଏ ।