ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ ଦାନା
ଭୁବନେଶ୍ବର : ଓଡ଼ିଶା ମୁହାଁ ବାତ୍ୟା ଦାନା । ଭିତରକନିକା – ଧାମରା ମଧ୍ୟରେ କରିବ ଲ୍ୟାଣ୍ଡଫଲ । ଭୟଙ୍କର ରୂପ ନେଉଛି ସାମୁଦ୍ରକ ଝଡ । କେନ୍ଦ୍ରାପଡା ଭଦ୍ରକରେ ପଶିଗଲା ବାତ୍ୟାର ବାହ୍ୟ ବଳୟ । ଦିନରେ ହୋଇଗଲା ରାତିର ଭ୍ରମ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଦାନା ଏବେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ଆଡକୁ ଗତି କରୁଛି । ଆସନ୍ତା କାଲି ସକାଳ ସୁଦ୍ଧା ଏକ ଭୀଷଣ ବାତ୍ୟାରେ ପରିଣତ ହେବ ଦାନା । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ଦାନା । କେତେବେଳେ ମାଡି ଆସୁଛି ତ ପୁଣି କେତେବେଳେ ଧିମେଇ ଯାଉଛି । ଫଳରେ ସମୁଦ୍ରରେ ବଳ ଗୋଟାଇ ଶକ୍ତିଶାଳୀ ହେଉଛି । ବର୍ତ୍ତମାନ ପାରାଦୀପ ଠାରୁ ୪୬୦ କିଲୋମିଟର ଦକ୍ଷିଣ ପୂର୍ବ ଦିଗରେ ରହିଥିବା ବେଳେ ଧାମରା ଠାରୁ ୪୯୦ କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବରେ ରହିଛି । ସେହିଭଳି ସାଗର ଦୀପରୁ ୫୪୦ କିଲୋମିଟର ଦୂରରେ ରହିଛି ବାତ୍ୟା । ବର୍ତ୍ତମାନ ପାରାଦୀପ ଡପଲର ରାଡାରରେ ବାତ୍ୟାକୁ ନିରୀକ୍ଷଣ କରୁଛି ଆଇଏମଡି । ଆସନ୍ତା କାଲି ସୁଦ୍ଧା ବାତ୍ୟା ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ । ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ସମୟରେ ଘଣ୍ଟାପ୍ରତି ୧୦୦ ରୁ ୧୧୦ କିଲୋମିଟର ବେଗରେ ବହିବ ପବନ । ଝଟକା ପବନ ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ।
ବାତ୍ୟା ପ୍ରଭାବରେ ଆଜିଠାରୁ ରାଜ୍ୟରେ ବଦଳିଛି ପାଗ । କାଲି ଭୀଷଣ ବର୍ଷା ନେଇ ୭ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଏବଂ ଯାଜପୁରରେ ୨୦୦ ରୁ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ, ଢେଙ୍କାନାଳ ଏବଂ କେନ୍ଦୁଝରରେ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୫ ତାରିଖରେ ଭୀଷଣ ବର୍ଷା ନେଇ ୪ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକରେ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ । ସେହିଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସମୁଦ୍ରରେ ସ୍ବାଭାବିକ ଠାରୁ ୨ ମିଟରରୁ ଅଧିକ ଉଚ୍ଚର ଜୁଆର ଉଠିବ । ଫଳରେ ସମୁଦ୍ର କୂଳ ଲଙ୍ଘିବା ସହ ମାଡିଆସିବ । ଏଥିପାଇଁ ପୁରୀ, ପାରାଦୀପ, ଧାମରା ପୋର୍ଟକୁ ଗ୍ରେଟ୍ ଡେଞ୍ଜର ସିଗ୍ନାଲ ନମ୍ବର–୧୦ ଜାରି କରାଯାଇଛି ।