ବାତ୍ୟା ଦାନାର କ୍ଷୟକ୍ଷତିର କ୍ଷତିପୁରଣ ପ୍ରଦାନ ନେଇ ଅନିଶ୍ଚିତତା

1 min read

ଭୁବନେଶ୍ବର : ବାତ୍ୟା ଦାନାର କ୍ଷୟକ୍ଷତିକୁ ନେଇ, କେନ୍ଦ୍ରର ଅନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍ ଯେଉଁ ରିପୋର୍ଟ ଦେଇଛନ୍ତି, ତାକୁ ନେଇ ଦେଖାଦେଇଛି ଅନିଶ୍ଚିତତା। ଦାନା ପାଇଁ କେନ୍ଦ୍ରୀୟ ସହାୟତା ସଂପର୍କିତ ସୁପାରିଶକୁ ନେଇ ଦ୍ଵନ୍ଦ୍ଵ। ଏଯାଏ ସେହି ଟିମ୍ ରିପୋର୍ଟ ପ୍ରସ୍ତୁତ କରିପାରି ନାହିଁ। ତେଣୁ ପ୍ରଭାବିତ ଲୋକେ କ୍ଷତିପୂରଣ ପାଇବେ କି ନାହିଁ, କେବେ ପାଇବେ, କେତେ ପାଇବେ, ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ବାତ୍ୟା ଦାନାର କ୍ଷୟକ୍ଷତି ଆକଳନ କରିବାକୁ ଗତ ନଭେମ୍ବର ୨୪ ରୁ ୨୭ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ କେନ୍ଦ୍ରୀୟ ଟିମ୍। କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପିକେ ରାୟଙ୍କ ନେତୃତ୍ଵରେ ଓଡ଼ିଶା ଆସିଥିଲେ ୭ ଜଣିଆ ଉଚ୍ଚସ୍ତରୀୟ ଟିମ। ଏହି ଟିମ୍ ରେ ଥିଲେ କେନ୍ଦ୍ର କୃଷି, ଜଳସେଚନ, ଶକ୍ତି, ଅର୍ଥ, ସଡ଼କ ପରିବହନ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ। ଟିମ୍ ର ସଦସ୍ୟ ଏବେ କଣ କହୁଛନ୍ତି, ଶୁଣନ୍ତୁ ।

ଅକ୍ଟୋବର ମାସରେ ହୋଇଥିବା ବାତ୍ୟା ଦାନାରେ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ ୩ଟି ଜିଲ୍ଲା- ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା। ୧୪ ଉପକୂଳବର୍ତ୍ତୀ ଜିଲ୍ଲାର ଚାଷ, ଜମି, ମତ୍ସ୍ଯ ସମ୍ପଦ ଓ ଭିତ୍ତିଭୂମି ବି ପ୍ରଭାବିତ ହୋଇଥିଲା। ବାତ୍ୟାରେ ୧୬୬ଟି ବ୍ଲକର ୪୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ ବୋଲି ରାଜ୍ଯ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ପ୍ରାରମ୍ଭିକ  ଆକଳନ ଅନୁସାରେ ୪୩୨ କୋଟି ଟଂକାର କ୍ଷୟକ୍ଷତି  ହୋଇଥିଲା। କେନ୍ଦ୍ରୀୟ ଟିମ୍ ଜିଲ୍ଲା ଗସ୍ତ ପରେ ଭୁବନେଶ୍ବରରେ  ମୁଖ୍ଯମନ୍ତ୍ରୀ ମୋହନ ମାଝୀ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଥିଲେ। ଭୁବନେଶ୍ବରରେ ଏକ ଅତ୍ଯାଧୁନିକ ବିପର୍ଯ୍ଯୟ ପରିଚାଳନା କେନ୍ଦ୍ର ସ୍ଥାପନ ସହ ବିପର୍ଯ୍ୟୟ ପ୍ରତିରୋଧ ସ୍ଥାୟୀ ଭିତ୍ତିଭୂମିର ବିକାଶ ପାଇଁ ଦାବି କରାଯାଇଥିଲା। ସେହି ଦାବି ପୂରଣ କରିବା ତ ଦୂରର କଥା, ଅନ୍ତରୀଣ ଅନୁଦାନ କାହିଁକି ଦିଆଯାଇନି ବୋଲି ଉଠିଲାଣି ପ୍ରଶ୍ନ ।  ଓଡି଼ଶା ପ୍ରତି ବର୍ଷ ବାତ୍ଯା, ବନ୍ଯା, ମରୁଡ଼଼ି ଭଳି ପ୍ରାକୃତିକ ବିପର୍ଯ୍ଯୟର ସମ୍ମୁଖିନ ହେଉଛି । ପୂର୍ବରୁ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ରାଜ୍ଯ ସରକାର ଏସବୁର ସଫଳ ମୁକାବିଲା କରି ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି। ହେଲେ କେନ୍ଦ୍ରୀୟ ଅନୁଦାନ ନେଇ ଓଡ଼ିଶା ସବୁବେଳେ  ପାତର ଅନ୍ତରର ଶିକାର ହୋଇଥିବାର ନଜିର ରହିଛି।