ସ୍ଥଳଭାଗ ମୁହାଁ ବୁଲବୁଲ୍

1 min read

ସ୍ଥଳଭାଗ ମୁହାଁ ବାତ୍ୟା ବୁଲବୁଲ୍‌ । ସକାଳେ ଅବପାତରୁ ଗଭୀର ଅବପାତର ରୂପ ନେଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ଏହି ଗଭୀର ଅବପାତ ପାରାଦୀପ ଠାରୁ ୮ଶହ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି । ବର୍ତ୍ତମାନ ଏହା ପଶ୍ଚିମ -ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ପରେ ଗତି ପରିବର୍ତ୍ତନ କରି ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ବର୍ଷାକୁ  ଦୃଷ୍ଟିରେ ରଖି ଏସ୍‌ଆସିଙ୍କ ପକ୍ଷରୁ ଜାରି ହୋଇଛି ସତର୍କତା ।

ଆସୁଛି ବୁଲ୍‌ବୁଲ୍‌ । ୧୦ ତାରିଖ ରାତି କିମ୍ବା ୧୧ ତାରିଖ ସକାଳେ ହେବ ଲ୍ୟାଣ୍ଡଫଲ । ୮ ତାରିଖ ବେଳକୁ ଏହାର ସ୍ଥିତି ଅସ୍ତରଙ୍ଗ ଠାରୁ ୧୭୦ କିଲୋମିଟର, ପାରାଦୀପ ଠାରୁ ୧୬୦ କିଲୋମିଟର, ଧାମରା ଠାରୁ ୧୪୦ କିଲୋମିଟର ଏବଂ ଗୋପାଳପୁର ଠାରୁ ୩୨୦ କିଲୋମିଟର ରହିବ ବୋଲି ଆକଳନ କରାଯାଇଛି । ଏହି ସମୟରେ ଘଣ୍ଟା ପ୍ରତି ୪୦ ରୁ ୬୦ କିଲୋମିଟର ବେଗରେ ପବନ ବହିବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର । ବାତ୍ୟା ପ୍ରଭାବରେ ଉପକୂଳ ଏବଂ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡିକରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଆଧାରରେ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆରସି ।

ସେପଟେ ବାତ୍ୟା ବୁଲ୍‌ ବୁଲ୍‌ କେଉଁ ସ୍ଥାନରେ ଲ୍ୟାଣ୍ଡଫଲ କରିବ ସେ ନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ଦେଇନି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୨ ଦିନ ପାଇଁ ଓଡ଼ିଶାରେ ପାଗ ଶୁଖିଲା ରହିବ । ଗୁରୁବାର ଅପରାହ୍ନ ସୁଦ୍ଧା ବାତ୍ୟାର ଗତି କୁଆଡେ ଯିବ ସେ ନେଇ ଜଣାପଡିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ । ୮ ତାରିଖ ବେଳକୁ ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂପୁର, ପୁରୀ, କଟକ, ଖୋର୍ଦ୍ଧା, ନୟାଗଡ, ଗଂଜାମ ଏବଂ ଗଜପତି ଜିଲ୍ଲାରେ ବର୍ଷା ସମେତ ୬୦ କିଲୋମିଟର ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି ।

ସମ୍ଭାବ୍ୟ ବାତ୍ୟା ନେଇ କୃଷି ବିଭାଗ ମଧ୍ୟ ସତର୍କତା ଜାରି କରିଛି । ପାକଳ ଅମଳକୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଆବଶ୍ୟକତା ଠାରୁ ଅଧିକ ପରିମାଣର ଅତ୍ୟାବଶ୍ୟକ ଜିନିଷ ନ କିଣିବା ପାଇଁ ଲୋକଙ୍କୁ କୁହାଯାଇଛି । କଳାବଜାରିକୁ ମଧ୍ୟ ସତର୍କ ନଜରରେ ରଖିବାକୁ ବିଭାଗୀୟ  ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ମତ୍ସଜୀବୀମାନଙ୍କୁ ୫ ଦିନ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଥିବା ବେଳେ ବନ୍ଦର ଗୁଡିକରେ ୧ ନମ୍ବର ବିପଦ ସଂକେତ ଦିଆଯାଇଛି । ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.