ସମୁଦ୍ରରେ ବଳ ଗୋଟାଉଛି ‘ବୁଲବୁଲ୍’, ରାତିରୁ ଲାଗି ରହିଛି ବର୍ଷା ଓ ପବନ

1 min read

ଭୁବନେଶ୍ୱର: ସମୁଦ୍ରରେ ବଳ ଗୋଟାଇ ମାଡ଼ି ଆସୁଛି ଅତି ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ବୁଲବୁଲ୍’ । ଘଣ୍ଟାପ୍ରତି ‘ବୁଲବୁଲ୍’ ୭ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି । ପୂର୍ବ-ଦକ୍ଷିଣପୂର୍ବ ଦିଗରେ ପାରାଦୀପ ଠାରୁ ୧୩୦ କିମି ଦୂରରେ ବାତ୍ୟା ‘ବୁଲବୁଲ୍’ ରହିଛି । ପଶ୍ଚିମବଙ୍ଗ ସାଗର ଦ୍ୱୀପଠୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୨୩୦ କିମି ଓ ବାଂଲାଦେଶ ଖେପୁପାରା ଠାରୁ ୩୭୦ କିମି ଦୂରରେ ଅଛି ।

ଏହା ରି-କର୍ଭ ହୋଇ ଉତ୍ତରପୂର୍ବ ଦିଗକୁ ଯାଇ ଆଜି ସନ୍ଧ୍ୟା କିମ୍ବା ରାତିରେ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ପାରାଦୀପ ଓ ଗୋପାଳପୁର ଡପଲାର ୱେଦର ରାଡାରରୁ ଏବେ ‘ବୁଲବୁଲ୍’କୁ ଟ୍ରାକ୍ କରାଯାଉଛି ।

ବାତ୍ୟା ‘ବୁଲବୁଲ୍’ ପ୍ରଭାବରେ ଭୋଗରାଇ, ଜଳେଶ୍ୱର, ବାଲିଆପାଳରେ ସକାଳୁ ବର୍ଷ ସାଙ୍ଗକୁ ପବନର ବେଗ ବଢ଼ିବାରେ ଲାଗିଛି ।ପାରାଦୀପରେ ଗତକାଲି ଠାରୁ ବର୍ଷା ଓ ପବନ ଲାଗି ରହିଛି । ମଧ୍ୟରାତ୍ରିରୁ ପବନ ଓ ବର୍ଷା ଅଧିକ ମାତ୍ରାରେ ହେଉଛି । କିଛି ସ୍ଥାନରେ ଗଛ ଭାଙ୍ଗିଯାଇ ରାସ୍ତା ଅବରୋଧ ହୋଇଛି ।

କଳିଙ୍ଗ ବାଲିଯାତ୍ରାର ତୋରଣ ଭାଙ୍ଗି ଯାଇଥିବା ବେଳେ ପ୍ରଶାସନ ବ୍ୟବସାୟୀଙ୍କୁ ପଡ଼ିଆରୁ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳୀରେ ରଖିଛି । ଷଣ୍ଢକୁଦ, ବାଲିଝରା, ତାରେଣୀଗଡ଼ା, ନ୍ୟୁ ଜଗନ୍ନାଥ କଲୋନୀ ପ୍ରଭୃତି ସ୍ଥାନରେ ପାଣି ଜମିଛି । ରାତିରେ କିଛି ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସକାଳେ ମଧ୍ୟ ସ୍ଥାନାନ୍ତର ଜାରି ରହିଛି ।

')}

Leave a Reply