ବିପର୍ଯ୍ୟୟର ଲ୍ୟାଣ୍ଡଫଲ ଆରମ୍ଭ, ମଧ୍ୟରାତ୍ରି ଯାଏଁ ଜଖାଉ ବନ୍ଦରରେ ରଚିବ ତାଣ୍ଡବ

ଗାନ୍ଧୀନଗର: ବାତ୍ୟା ବିପର୍ଯ୍ୟୟର ଲ୍ୟାଣ୍ଡଫଲ ଆରମ୍ଭ ହୋଇସାରିଲାଣି  । ବିପର୍ଯ୍ୟୟର ପ୍ରଭାବ ଏବେ ଗୁଜୁରାଟରେ ଦେଖିବାକୁ ମିଳିଲାଣି  । ଚାରିଆଡେ ଖାଲି କାଦୁଅର ଧ୍ବଂସାବଶେଷ ଦେଖିବାକୁ ମିଳୁଛି  । ପାକିସ୍ତାନ ସହ ଅନ୍ତରାଷ୍ଟ୍ରୀୟ ସୀମାର ୭୦ କିଲୋମିଟର ଦକ୍ଷିଣ ପୂର୍ବ ଗୁଜରାଟର ଜଖାଉ ବନ୍ଦର ନିକଟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା  ।

ସନ୍ଧ୍ୟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ବାତ୍ୟା ତାଣ୍ଡବ ରଚିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି  । ସଦ୍ୟତମ ଜାରି ହୋଇଥିବା ବୁଲେଟିନରେ ପାଣିପାଗ ବିଭାଗ କହିଛି ଯେ ୧୨୫ ରୁ ୧୩୫ କିମି ବେଗରେ ଆଗକୁ ବଢୁଥିବା ବାତ୍ୟା ୧୫୦ କିଲୋମିଟରରେ ପହଞ୍ଚିବାର କ୍ଷମତା ରଖୁଛି  । କିନ୍ତୁ ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁବା କ୍ଷଣି ପବନର ବେଗ କମ ହୋଇ ୧୨୦ରୁ ୧୩୦ କିଲୋମିଟରରେ ପହଞ୍ଚିଛି  ।

ଲ୍ୟାଣ୍ଡଫଲ ପରେ ପବନର ବେଗ କିଛି ମାତ୍ରାରେ କମ ହେବାର ଆଶଙ୍କା କରାଯାଉଛି  । କାରଣ ବାତ୍ୟା ସ୍ଥଳଭାଗ ଛୁଇଁବା ମାତ୍ରେ ଶୀଘ୍ର ସମାପ୍ତ ହୋଇଯାଏ  । ଶୁକ୍ରବାର ସୁଦ୍ଧା ବାତ୍ୟା ଗୁଜୁରାଟ ଉପକୂଳ ଛାଡିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି  । କିନ୍ତୁ ଗୁଜରାଟର ଉପକୂଳବର୍ତ୍ତୀ ଜିଲ୍ଲାରେ ଅଧିକ କ୍ଷତି ପହଞ୍ଚାଇବ ବିପର୍ଯ୍ୟୟ  । ଅଧିକାଂଶ ଅଞ୍ଚଳରେ ବର୍ଷା ଓ ପବନ ଆରମ୍ଭ ହୋଇସାରିଲାଣି  ।

ଆଇଏମଡି ଚେତାବନୀ ଦେଇଛି ଯେ କିଛି ସ୍ଥାନରେ ସମୁଦ୍ର ଜୁଆର ୩ ରୁ ୬ ମିଟର ପର୍ଯ୍ୟନ୍ତ ଉଠିବାର ସମ୍ଭାବନା ରହିଛି  । ତଟବର୍ତ୍ତୀ ଅଞ୍ଚଳର ମାଟି ଧସିବା ସହ ପକା ଘର ନଷ୍ଟ ହେବାର ଆଶଙ୍କା ରହିଛି  । ସେହିପରି ବିଦ୍ୟୁତ ସେବା ଓ ମୋବାଇଲ ଟାୱାର କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି  ।