ବିପର୍ଯ୍ୟୟର ଲ୍ୟାଣ୍ଡଫଲ ଆରମ୍ଭ, ମଧ୍ୟରାତ୍ରି ଯାଏଁ ଜଖାଉ ବନ୍ଦରରେ ରଚିବ ତାଣ୍ଡବ
ଗାନ୍ଧୀନଗର: ବାତ୍ୟା ବିପର୍ଯ୍ୟୟର ଲ୍ୟାଣ୍ଡଫଲ ଆରମ୍ଭ ହୋଇସାରିଲାଣି । ବିପର୍ଯ୍ୟୟର ପ୍ରଭାବ ଏବେ ଗୁଜୁରାଟରେ ଦେଖିବାକୁ ମିଳିଲାଣି । ଚାରିଆଡେ ଖାଲି କାଦୁଅର ଧ୍ବଂସାବଶେଷ ଦେଖିବାକୁ ମିଳୁଛି । ପାକିସ୍ତାନ ସହ ଅନ୍ତରାଷ୍ଟ୍ରୀୟ ସୀମାର ୭୦ କିଲୋମିଟର ଦକ୍ଷିଣ ପୂର୍ବ ଗୁଜରାଟର ଜଖାଉ ବନ୍ଦର ନିକଟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ।
ସନ୍ଧ୍ୟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ବାତ୍ୟା ତାଣ୍ଡବ ରଚିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ସଦ୍ୟତମ ଜାରି ହୋଇଥିବା ବୁଲେଟିନରେ ପାଣିପାଗ ବିଭାଗ କହିଛି ଯେ ୧୨୫ ରୁ ୧୩୫ କିମି ବେଗରେ ଆଗକୁ ବଢୁଥିବା ବାତ୍ୟା ୧୫୦ କିଲୋମିଟରରେ ପହଞ୍ଚିବାର କ୍ଷମତା ରଖୁଛି । କିନ୍ତୁ ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁବା କ୍ଷଣି ପବନର ବେଗ କମ ହୋଇ ୧୨୦ରୁ ୧୩୦ କିଲୋମିଟରରେ ପହଞ୍ଚିଛି ।
ଲ୍ୟାଣ୍ଡଫଲ ପରେ ପବନର ବେଗ କିଛି ମାତ୍ରାରେ କମ ହେବାର ଆଶଙ୍କା କରାଯାଉଛି । କାରଣ ବାତ୍ୟା ସ୍ଥଳଭାଗ ଛୁଇଁବା ମାତ୍ରେ ଶୀଘ୍ର ସମାପ୍ତ ହୋଇଯାଏ । ଶୁକ୍ରବାର ସୁଦ୍ଧା ବାତ୍ୟା ଗୁଜୁରାଟ ଉପକୂଳ ଛାଡିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । କିନ୍ତୁ ଗୁଜରାଟର ଉପକୂଳବର୍ତ୍ତୀ ଜିଲ୍ଲାରେ ଅଧିକ କ୍ଷତି ପହଞ୍ଚାଇବ ବିପର୍ଯ୍ୟୟ । ଅଧିକାଂଶ ଅଞ୍ଚଳରେ ବର୍ଷା ଓ ପବନ ଆରମ୍ଭ ହୋଇସାରିଲାଣି ।
ଆଇଏମଡି ଚେତାବନୀ ଦେଇଛି ଯେ କିଛି ସ୍ଥାନରେ ସମୁଦ୍ର ଜୁଆର ୩ ରୁ ୬ ମିଟର ପର୍ଯ୍ୟନ୍ତ ଉଠିବାର ସମ୍ଭାବନା ରହିଛି । ତଟବର୍ତ୍ତୀ ଅଞ୍ଚଳର ମାଟି ଧସିବା ସହ ପକା ଘର ନଷ୍ଟ ହେବାର ଆଶଙ୍କା ରହିଛି । ସେହିପରି ବିଦ୍ୟୁତ ସେବା ଓ ମୋବାଇଲ ଟାୱାର କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ।