ଉପକୂଳରେ ପ୍ରବଳ ବର୍ଷିବ: ପବନର ବେଗ ରହିବ ୪୦ରୁ ୫୦ କିମି

1 min read

ଭୁବନେଶ୍ୱର: ସମୁଦ୍ରରେ ଅଶାନ୍ତ ହେଉଛି ବାତ୍ୟା । ଏବେ ପୁରୀଠାରୁ ୫୫୦ରୁ ୫୮୮ କିଲୋମିଟର ଦୂରରେ ରହିଛି ସାମୁଦ୍ରିକ ଝଡ଼ । ଆଜି ସନ୍ଧ୍ୟା ସୁଦ୍ଧା ଏହା ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା  ଉପକୂଳରେ ପହଞ୍ଚିବା ପରେ ରିକର୍ଭ କରି ଉତ୍ତର- ଉତ୍ତର-ପୂର୍ବ ଦିଗରେ ଗତି କରିବ । ଉପକୂଳରେ ଅତିକ୍ରମ କରିବା ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଝଟକା ପବନ ଘଣ୍ଟାପ୍ରତି ୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ।

ଆଜିଠୁ ତିନି ଦିନ ଉପକୂଳ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ । ସ୍ଥଳଭାଗ ନ ଛୁଇଁଲେ ବି କୂଳେକୂଳେ ଓଡ଼ିଶା ଅତିକ୍ରମ କରିବ ଘୂର୍ଣ୍ଣିଝଡ଼ । ପ୍ରଭାବରେ ଆଜି ସନ୍ଧ୍ୟାରୁ ଗଞ୍ଜାମ, ଗଜପତି ଏବଂ ପୁରୀ ଜିଲ୍ଲାରେ ଆରମ୍ଭ ହୋଇଯିବ ବର୍ଷା । ଆସନ୍ତାକାଲି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୨ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ବାଲେଶ୍ଵର,ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୧୨ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଏହାସହ ବେଳାଭୂମିରେ କୌଣସି ପର୍ଯ୍ୟଟକ ନଗାଧୋଇବା ପାଇଁ ସତର୍କ କରାଇଛି ପାଣିପାଗ କେନ୍ଦ୍ର। ଗୋପାଳପୁର, ଧାମରା, ପାରାଦୀପ ଏବଂ ପୁରୀ ବନ୍ଦରରେ ୨ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ବର୍ଷାକୁ ନଜରରେ ରଖି ଜିଲ୍ଲାପାଳମାନଙ୍କୁ ଦାୟିତ୍ବ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯିବ । ସ୍ଥିତି ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଏସଆରସି ପ୍ରଦୀପ ଜେନା କହିଛନ୍ତି ।