ଅମ୍ଫାନ ପ୍ରଭାବରେ ଗଛ ଉପୁଡ଼ିଲା ଘର ଭାଙ୍ଗିଲା, ପାରାଦୀପରେ ସର୍ବାଧିକ ୧୦୨ କିମି ବେଗରେ ପବନ

ଭୁବନେଶ୍ୱର: ଅମ୍ଫାନରେ ବିଶେଷ ଭାବେ ଏବେ ପ୍ରଭାବିତ ହେଉଛି ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ । ପାରାଦୀପଠାରୁ ବାତ୍ୟା ଏବେ ୧୧୫ କିମି ଦୂରରେ ଗତି କରୁଛି । ପାରାଦୀପରେ ସର୍ବାଧିକ ୧୦୨ କିମି ବେଗରେ ପବନ ବହିଥିବା ବେଳେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଆଗରୁ ଅନୁମାନ କରାଯାଉଥିଲା ଯେ, ଅମ୍ଫାନ ବାଲେଶ୍ୱରରେ ଲାଣ୍ଡଫାଲ କରିବ । କିନ୍ତୁ ଅମ୍ଫାନ ଏବେ ତା’ର ପୂର୍ବନିର୍ଦ୍ଧାରିତ ଗତିପଥରେ ଯିବ ବୋଲି ଆଇଏମଡି ତରଫରୁ ସୂଚନା ମିଳିଛି । ଯାହାର ଅର୍ଥ ହେଉଛି ଓଡ଼ିଶା ପ୍ରତି ଆପାତତଃ ବିପଦ ଟଳିଛି ।

ଅନ୍ୟ ପକ୍ଷରେ ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳରେ ବ୍ୟାପକ ଗଛ ଉପୁଡ଼ି ପଡିଛି । ଘର ଉପରେ ଗଛ ଭାଙ୍ଗିପଡ଼ିଥିବାରୁ ଘର ମଧ୍ୟ ଭାଙ୍ଗିଯାଇଛି । ସେପଟେ ପ୍ରବଳ ବର୍ଷା ଯୋଗୁଁ ମାଟି ଘରର କାନ୍ଥ ପଡି ୩ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଛି । ତିହିଡ଼ି ବ୍ଲକ କାଂପଡ଼ା ପଞ୍ଚାୟତ ଦକ୍ଷିଣପାରି ଗାଁରେ ଏଭଳି ଅଭାବନୀୟ ଘଟଣା ସାମନାକୁ ଆସିଛି । ପ୍ରବଳ ବର୍ଷା ଯୋଗୁଁ ଗାଁର ବଳରାମ ଦାସଙ୍କ ମାଟି କାନ୍ଥ ଭୁଶୁଡି ପଡ଼ିଥିଲା। ରାତିରେ ମାଆ ଓ ୩ମାସର ଶିଶୁ ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ପଡିଥିଲା । ମାଆ ସାମାନ୍ୟ ଆହତ ହୋଇଥିବା ବେଳେ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି।

ଢିଙ୍କିଆ ପଞ୍ଚାୟତର ପାନବରଜ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମୁଦ୍ର ଭିତରେ ବାତ୍ୟା ଏବେ ଯେଉଁଠାରେ ରହିଛି, ସେଠାରେ ପବନର ଗତି ଘଣ୍ଟାକୁ ୧୭୦ କିମି ରହିଛି । ପାରାଦୀପ ପରେ ପରେ କେନ୍ଦ୍ରାପଡାର ଡାଙ୍ଗମାଳ ଓ ଭଦ୍ରକର ଧାମରା ଅଞ୍ଚଳରେ ପବନର ଗତି ବଢିବ । ଏଠାରେ ପବନର ଝଟ୍‌କା ୧୨୫ କିମି ପର୍ଯ୍ୟନ୍ତ ହୋଇପାରେ ବୋଲି ଏସଆରସି କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଏହି ୪ ଜିଲ୍ଲାରୁ ୧ଲକ୍ଷ ୩୭ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ବର ଓ ମୟୂରଭଞ୍ଜରେ ଏବେବି ଲୋକେ ବାତ୍ୟା ଆଶ୍ରୟସ୍ଥଳୀକୁ ଆସୁଛନ୍ତି । ଅପରାହ୍ନରେ ବାଲେଶ୍ବର ଜିଲ୍ଲାର ଭୋଗରାଇ, ତାଳସାରି, ଜଳେଶ୍ବର ଆଦି ଅଞ୍ଚଳରେ ପବନର ବେଗ ବଢିବ। ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

Leave a Reply