ବାତ୍ୟା ସୃଷ୍ଟି ନେଇ ଏବେ ବି ଚିତ୍ର, ଶୁକ୍ରବାର ଜଣା ପଡ଼ିବ ବାତ୍ୟାର ତୀବ୍ରତା

1 min read
Cyclone Alert For Odisha Bay Of Bengal

ଭୁବନେଶ୍ୱର: ଆସୁଛି ବାତ୍ୟା । ଅଶାନ୍ତ ହେଉଛି ସମୁଦ୍ର । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ । ଯାହା ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗୋଟିଏ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । କଳାବଜାରୀ ରୋକିବାକୁ ବିଭାଗୀୟ ମନ୍ତ୍ରୀ ସତର୍କ କରାଇଛନ୍ତି । ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରିବା ସହ ଅଫିସରମାନଙ୍କୁ ଦାୟିତ୍ୱ ବଣ୍ଟାଯାଇଛି ।

ଅଶାନ୍ତ ହେଉଛି ଦକ୍ଷିଣ ଆଣ୍ଡାମାନ ସାଗର । ୨୪ରୁ ୪୮ ଘଣ୍ଟା ମଧ୍ୟରେ ନେବ ଲଘୁଚାପ ରୂପ । ୬ରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆରମ୍ଭ ହେବ ବର୍ଷା । ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ବହିବ ପବନ । ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କଲା ଭାରତୀୟ ପାଣିପାଗ ବିଭାଗ । ବାତ୍ୟା ସୃଷ୍ଟି ନେଇ ଏବେ ବି ଚିତ୍ର ଅସ୍ପଷ୍ଟ ରହିଛି । ଶୁକ୍ରବାର ଜଣା ପଡ଼ିବ ବାତ୍ୟାର ତୀବ୍ରତା ଏବଂ କେଉଁଠି ଛୁଇଁବ ସ୍ଥଳଭାଗ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଘନୀଭୂତ ହେବାରେ ଲାଗିଛି । ୬ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହୋଇ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ ବୋଲି ଆଇଏମଡି ଡିଜି କହିଛନ୍ତି ।

 Cyclone Alert For Odisha Bay Of Bengal

ଘରୋଇ ପାଣିପାଗ ସଂସ୍ଥା ୱିଣ୍ଡି ପକ୍ଷରୁ ଜାରି ହୋଇଥିବା ଗ୍ରାଫିକ୍ସ କହୁଛି ଲଘୁଚାପଟି ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳ ଛୁଇଁବ । ଗୋପାଳପୁର ଠାରୁ ବାଲେଶ୍ୱର ମଧ୍ୟରେ ସ୍ଥଳଭାଗ ଛୁଇଁବା ଆଶଙ୍କା ରହିଛି । ଲଘୁଚାପ ସୃଷ୍ଟି ପରେ ଏହି ଗ୍ରାଫିକ୍ସ ଆକଳନ ପରିବର୍ତ୍ତନ ହୋଇପାରେ । ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ପ୍ରାକ୍-ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ହେଲେ ଏଯାଏ ବାତ୍ୟାର ଗତି ସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳିନାହିଁ । ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି । ଗାଁରୁ ସହର ଯାଏ ସରକାରୀ ଅଧିକାରୀମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ ବା ପାଖ ଉଚ୍ଚ ସ୍ଥାନକୁ ପଠାଇବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜଳ ନିଷ୍କାସନ ପାଇଁ ମୋଟରର ବନ୍ଦୋବସ୍ତ କରାଯାଇଛି । ପିଇବା ପାଣିର ଯେପରି ଅସୁବିଧା ନ ରହେ, ତାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର ।

ଗତ ତିନି ବର୍ଷର ରେକର୍ଡ କହୁଛି ମେ ମାସରେ ଆସୁଥିବା ବାତ୍ୟା ଓଡ଼ିଶାରେ ଲ୍ୟାଣ୍ଡଫଲ କରୁଛି । ତେବେ ସମ୍ଭାବ୍ୟ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ? ବାତ୍ୟାର ତୀବ୍ରତା କେତେ ରହିବ ? ସମୁଦ୍ରରେ ସୃଷ୍ଟି ହୋଇ ସମୁଦ୍ରରେ ଦୁର୍ବଳ ହେବ କି ? ନା ଉପକୂଳ ଜିଲ୍ଲାରେ ଲ୍ୟାଣ୍ଡଫଲ କରିବ । ଏମିତି ଅସମାହିତ ପ୍ରଶ୍ନରେ ରାଜ୍ୟବାସୀ । ସେପଟେ ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ ବର୍ଷା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ବର୍ଷା ଆଶଙ୍କା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।