ଆସନ୍ତା ୨୭ରେ ବାତ୍ୟା ଆଶଙ୍କା, ୨୪ ଘଣ୍ଟାରେ ସ୍ପଷ୍ଟ ହୋଇପାରେ ଚିତ୍ର
ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ୨୬ ତାରିଖରେ ଗଭୀର ଅବପାତରେ ହେବ ପରିଣତ । ୨୭ ସକାଳେ ବାତ୍ୟାର ମୋନ୍ଥାର ନେଇପାରେ ରୂପ । ଏନେଇ ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପାଇଁ ସୃଷ୍ଟି ହୋଇଛି ବାତ୍ୟା ଭୟ । ହେଲେ ଏହାର ଗତି ପଥ ଏବେ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ବାତ୍ୟା ପାଇଁ ପାଗ ଅନୁକୁଳ ରହିଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ତେବେ ୨୭ ତାରିଖ ସକାଳେ ଏହା କେଉଁଠି ମାଡ଼ ହେବ, ଗତିପଥ କେଉଁଆଡେ ରହିବ ତାହାର ସ୍ପଷ୍ଟ ସୂଚନା ଆସିଯିବ ବୋଲି କୁହାଯାଇଛି । ପ୍ରତିକୂଳ ପାଗ ପରିସ୍ଥିତି ଯୋଗୁଁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବ । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି । ୨୭ ତାରିଖରୁ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ । କୋରାପୁଟ, ନୂଆପଡ଼ା, ଗଜପତି, କନ୍ଧମାଳ ସହିତ ଅନ୍ୟ ଜିଲା ଗୁଡ଼ିକରେ ଏହାର ପ୍ରଭାବ ରହିପାରେ । ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ସମୁଦ୍ର କୂଳରେ ୫୦ ରୁ ୬୦ କିମି ବେଗରେ ପବନ ବହି ପାରେ । ଥାଇଲାଣ୍ଡ ଦ୍ବାରା ପ୍ରସ୍ତାବିତ ଶବ୍ଦ ମୋନ୍ଥାକୁ ନେଇ ବାତ୍ୟାର ନାମକରଣ କରାଯାଇଛି । ମୋନ୍ଥାର ଅର୍ଥ ସୁଗନ୍ଧିତ ଫୁଲ ବା ସୁନ୍ଦର ଫୁଲ । ତେବେ ଲଘୁଚାପ ଘଣ୍ଟା ପ୍ରତି ୩ କି.ମି ବେଗରେ ଉତ୍ତର-ପଶ୍ଚିମ ଉତ୍ତର ଦିଗରେ ଗତି କରୁଛି । ସେପଟେ ୨୭ରୁ ୨୯ ତାରିଖ ଯାଏ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ସହିତ ବିଭିନ୍ନ ଜିଲାକୁ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
