ବାତ୍ୟା ଦାନାରେ ଅଧିକ ପ୍ରଭାବିତ ହୋଇଛି ୧୪ ଜିଲ୍ଲା, ପ୍ରାଥମିକ ଆକଳନ ଅନୁଯାୟୀ ୬୦୦ କୋଟିର କ୍ଷୟକ୍ଷତି

ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ଦାନାରେ ଅଧିକ ପ୍ରଭାବିତ ହୋଇଛି ୧୪ ଜିଲ୍ଲା । ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କଟକ, ଗଞ୍ଜାମ, ଜଗତସିଂହପୁର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ପରି ଜିଲ୍ଲା ପ୍ରଭାବିତ ହୋଇଥିବା ରିପୋର୍ଟ ପ୍ରଦାନ କରାଯାଇଛି । ପ୍ରାଥମିକ ଆକଳନ ଅନୁଯାୟୀ ସମସ୍ତ ଜିଲ୍ଲାରେ ୬୦୦ କୋଟିର କ୍ଷୟକ୍ଷତି ହୋଇଥିବା ଜଣା ପଡିଛି । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ବ୍ୟାପକ କ୍ଷତି ହୋଇଛି । ୧୪ ଜିଲ୍ଲାର ୧୬୬ ବ୍ଲକରୁ ୧୩୧ଟି ବ୍ଲକ କ୍ଷତି ସହିଛନ୍ତି । ୧୧ ହଜାର ୬୩୭ ଗାଁ ବନ୍ୟା ଓ ବାତ୍ୟାରେ ପ୍ରଭାବିତ ହୋଇଛି । ସମୁଦାୟ ୪୧ ଲକ୍ଷ ୪୩୫୭ ଲୋକ ପ୍ରଭାବିତ ହୋଇଛନ୍ତି । ୧୬ ହଜାର ୪୧୭ଟି ଘର କ୍ଷତିଗ୍ରସ୍ତ ହୋଇଛି। ୪୦୦୦ ପାଖାପାଖି କୁକଡ଼ା କ୍ଷତି ହୋଇଛି। ୭୧ ଗୃହପାଳିତ ପଶୁ ମୃତ୍ୟୁବରଣ କରିଛନ୍ତି । ନଭେମ୍ବର ଦୁଇ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳ ଓ ସମସ୍ତ ବିଭାଗକୁ ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର । ତେବେ ଶିଶୁ ଖାଦ୍ୟ, ରିଲିଫ ସେଣ୍ଟର, ରନ୍ଧା ଖାଦ୍ୟ, ଫସଲ ଓ ଘର ଭଙ୍ଗା ନେଇ ପ୍ରଥମ ରିପୋର୍ଟ ପ୍ରଦାନ କରାଯାଇଛି। ଦ୍ଵିତୀୟରେ ରାଜ୍ୟ ସରକାରଙ୍କ ବିଭାଗୀୟ ରିପୋର୍ଟ ପ୍ରଦାନ କରାଯାଇଛି । ପଞ୍ଚାୟତିରାଜ ବ୍ୟତିତ ଅନ୍ୟ ସବୁ ବିଭାଗ ରିପୋର୍ଟ ଦେଇଛନ୍ତି। ରିପୋର୍ଟକୁ ତର୍ଜମା କରାଯାଇ ଆଜି ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ହେବ କ୍ଷୟକ୍ଷତିର ହିସାବ। ଆସନ୍ତାକାଲି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦିଆଯିବ। ରିପୋର୍ଟ ଦିଆଯିବା ପରେ କେନ୍ଦ୍ରୀୟ ଟିମ ଆସି କ୍ଷୟକ୍ଷତିର ଅନୁଧ୍ୟାନ କରିବ ।